fbpx

ଏହି ଦୁଇ ଯୁବକ ହେଉଛନ୍ତି ପ୍ରକୃତ ବୀର: ଲାଇଟ୍ ନଥିଲା ଶୁଭୁଥିଲା ମୃତ୍ୟୁ ପୂର୍ବର ଚିତ୍କାର, ରେସକ୍ୟୁ ଟିମ୍ ନଥିଲା ତଥାପି ଚାଲିଥିଲା ଉଦ୍ଧାର କାର୍ଯ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱରରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାର ଦୁଃଖ ଆଜି ବି ମନରୁ ଲିଭୁନି । ନିଜର ଆତ୍ମୀୟ ସ୍ୱଜନଙ୍କୁ ହରାଇ କାନ୍ଦୁଛନ୍ତି ବାପା, ଭାଇ ଓ ଭଉଣୀମାନେ । ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିବା ସ୍ୱାମୀଙ୍କୁ ହରାଇ ଆଜି ଅନେକ ସ୍ତ୍ରୀ ଓ ଛୋଟପିଲା ବେସାହାରା ହୋଇପଡ଼ିଛନ୍ତି । ଏହି ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିବା ସହିତ ଏକ ହଜାରରରୁ ଅଧିକ ଲୋକ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ତେବେ ଏହି ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିବା ବାଲେଶ୍ୱରର ସ୍ଥାନୀୟ ବାସିନ୍ଦା, ରକ୍ତଦାନ କରିବାକୁ ଆଗେଇ ଆସିଥିବା ବିଭିନ୍ନ ସ୍ୱେଚ୍ଛାସେବୀ, ରାଜ୍ୟର ବିଭିନ୍ନ ମେଡିକାଲରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ ଓ ପ୍ରଶାସନିକ ଅଧିକାରୀଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ହେବ । ସମସ୍ତଙ୍କର ସହଯୋଗ ପାଇଁ ଆଜି ଅନେକ ଜୀବନ ବଞ୍ଚି ପାରିଛି । ପାଖାପାଖି ୩୦୦ ଯାତ୍ରୀଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇ ପ୍ରଶଂସାର ପାତ୍ର ହୋଇଥିଲେ ଗଣେଶ ନାମକ ଜଣେ ସ୍ଥାନୀୟ ଯୁବକ ।

ତେବେ ଏହା ମଧ୍ୟରେ ପୁଣି ଦୁଇଜଣ ସାହସୀ ଯୁବକଙ୍କ କାହାଣୀର ଚିତ୍ର ସାମ୍ନାକୁ ଆସିଛି । ଏହି ଦୁଇ ଯୁବକ ବାହାନଗା ଟ୍ରେନ ଦୁର୍ଘଟଣା ସମୟରେ ୮୮ ଜଣ ଯାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସନ୍ଧ୍ୟା ସମୟରେ ଅଚାନକ ଜୋରରେ ଏକ ଶବ୍ଦ ହୋଇଥିଳା । ଏହି ସମୟରେ ଖେଳ ଛାଡ଼ି ଜଣେ ସେନା କର୍ମଚାରୀ ନିଜର ୫-୬ ଜଣ ବନ୍ଧୁଙ୍କ ମିଶି ଆହତଙ୍କୁ ଉଦ୍ଧାର କରିଥିଲେ । ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ସେମାନେ ଟ୍ରେନ ବଗି ଭିତରୁ ଜଣଙ୍କ ପରେ ଜଣେ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ବଗି ଭିତରେ ଅନେକ ଯାତ୍ରୀ ଜୀବନ ରକ୍ଷା ପାଇଁ ବିକଳ ହେଉଥିବା ବେଳେ ଆଉ କିଛି ଆଖି ସାମ୍ନାରେ ମୃତ୍ୟୁବରଣ କରିଥିଲେ । ଏପରିକି ଏହି ସମୟରେ ଜଣେ ଗର୍ଭବତୀ ମହିଳା ମଧ୍ୟ ଚିତ୍କାର କରୁଥିବା ଦେଖାଯାଇଥିଲା । ଏହି ଦୁଇ ଯୁବକଙ୍କ ସହିତ ସ୍ଥାନୀୟ ଲୋକମାନେ ବିନା ଆଲୋକରେ ଶହ ଶହ ଲୋକଙ୍କ ଜୀବନ ବଞ୍ଚାଇ ପାରିଥିଲେ । ଏଭଳି ଦେବଦୂତମାନଙ୍କୁ ହୃଦୟରୁ ଯେତେ ପ୍ରଶଂସା କଲେ ବି କମ୍ ହେବ ।

Get real time updates directly on you device, subscribe now.