fbpx

ରାଜଧାନୀରେ ମାତିଛନ୍ତି ସୁନ୍ଦରୀ ଲୁଟେରା: ପାଖକୁ ଡାକୁଛନ୍ତି, ସବୁ ଲୁଟି ନେଉଛନ୍ତି, ମିଥ୍ୟା କେସର ଭୟ ଦେଖାଉଛନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଅନେକ ସମୟରେ ଅନେକ ବଡ଼ ବଡ଼ ଘଟଣା ସବୁ ଦେଖିବାକୁ ମିଳିଥାଏ । ଚକାଚକ ରାସ୍ତା ସାଙ୍ଗକୁ ବହୁତଳ ପ୍ରାସାଦ ମଧ୍ୟରେ ପରିବେଷ୍ଟିତ ଆମର ରାଜଧାନୀରେ ଅସାମାଜିକ ବ୍ୟକ୍ତିଙ୍କ ଅଭାବ ନାହିଁ । ପୋଲିସ ଯେତେ କଡ଼ା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ଦୁର୍ବୃତ୍ତ, ସାଇବର ଠକଙ୍କ ରାଜୁତି କମୁନାହିଁ । ଏହା ମଧ୍ୟରେ ପୁଣି ଏକ ନୂଆ ପ୍ରକାରର ଠକାମି ସାମ୍ନାକୁ ଆସିଛି ।

ରାଜଧାନୀରେ ମାତିଛନ୍ତି ସୁନ୍ଦରୀ ଲୁଟେରା । ନିଜର ସୁସଜ୍ଜିତ ପୋଷାକ, ଆକର୍ଷଣୀୟ ଚେହେରାକୁ ଦେଖାଇ ନିଜ ଆଡ଼କୁ ଯୁବଗୋଷ୍ଠୀଙ୍କୁ ଆକର୍ଷିତ କରୁଛନ୍ତି ଯୁବତୀମାନେ । ସେମାନେ ଗୋଟିଏ ଗ୍ୟାଙ୍ଗ ହୋଇ କାମ କରିବା ସହିତ ପ୍ରଥମେ ଜଣେ ଯୁବକଙ୍କୁ ଶାରୀରିକ ସମ୍ପର୍କ ବାହାନରେ ପାଖକୁ ଡାକିଥାନ୍ତି । ଏହାପରେ ଅନ୍ୟମାନେ ଅଚାନକ ଯୁବକଙ୍କୁ କାବୁ କରି ତାଙ୍କଠାରୁ ଟଙ୍କା, ମୋବାଇଲ ଛଡ଼ାଇ ନେଉଛନ୍ତି । ଏଥିସହିତ ଅସଦାଚରଣ, ମିଥ୍ୟା କେସରେ ଫସାଇ ଦେବାର ଭୟ ମଧ୍ୟ ଦେଖାଉଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଗତକାଲି ରାତି ୧୨ଟା ସମୟରେ ମାଷ୍ଟର କ୍ୟାଣ୍ଟିନ ଛକରେ ଜଣେ ଯୁବକ ବସକୁ ଅପେକ୍ଷା କରିରହିଥିଲେ । ଏହି ସମୟରେ ୨ ଜଣ ସୁନ୍ଦରୀ ଯୁବତୀ ତାଙ୍କୁ ହାତ ଠାରି ଡାକିବା ସହିତ ଜୋରଜବଦରସ୍ତି ଯୁବକଙ୍କ ଠାରୁ ଟଙ୍କା ଓ ମୋବାଇଲ ଲୁଟି ନେଇଥିଲେ । ଏପରିକି ଅସଦାଚରଣର ଭୟ ଦେଖାଇ ପୋଲିସରେ ଦେଇଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ବାଧ୍ୟ ହୋଇ ଯୁବକ ନିରବ ରହିଥିଲେ । ଯୁବକଙ୍କ ମନିପର୍ସରୁ ୨ ହଜାର ଟଙ୍କା, ମୋବାଇଲ ଲୁଟିବା ପରେ ଦୁଇ ଯୁବତୀ ସେଠାରୁ ଛୁ’ ମାରିଥିଲେ । ଏନେଇ ଖାରବେଳ ନଗର ଥାନାରେ ଏକ ମାମଲା ଦାୟର ହୋଇଛି । ପୂର୍ବରୁ ରାଜଧାନୀରେ ସେକ୍ସ ବାହାନାରେ ଲୁଟ୍ କରାଯାଉଥିବା ଭଳି ବହୁ ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା । ତେଣୁ ରାତିରେ ଯିବା ସମୟରେ ଏଭଳି ଯୁବତୀଙ୍କ ପ୍ରତି ସାବଧାନ ରହିବାକୁ କୁହାଯାଇଛି ।

Get real time updates directly on you device, subscribe now.