fbpx

ବାହାନଗା ପରେ ଯାଜପୁର: ପୁଣି ଦୁର୍ଘଟଣା, ଚାଲିଗଲା ୪ ଶ୍ରମିକଙ୍କ ଜୀବନ, ୪ ଜଣ ଗୁରୁତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨ ତାରିଖରେ ବାଲେଶ୍ୱରର ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ସାରା ବିଶ୍ୱକୁ ହଲଚଲ କରିଦେଇଥିଲା । ଏହି ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ଘଟିବା ସହିତ ଏକ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଏହି ଘଟଣା ପରେ ମୃତକ ଓ ଆହତଙ୍କ ପାଇଁ କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ତରଫରୁ ସହାୟତା ରାଶି ଘୋଷଣା କରାଯାଇଛି । ଏଥିସହିତ ଏହି ଘଟଣା ପଛର ରହସ୍ୟ ଉନ୍ମୋଚନ ପାଇଁ ରେଳ ବିଭାଗ ପକ୍ଷରୁ ସିବିଆଇ ତଦନ୍ତ ଆରମ୍ଭ ହୋଇଯାଇଛି ।

ତେବେ ଏହା ମଧ୍ୟରେ ପୁଣି ଆସିଛି ଏକ ବଡ଼ ଅଘଟଣ । ଆଜି ଟ୍ରେନ ଦୁର୍ଘଟଣାରେ ପୁଣି ୪ ଜଣଙ୍କ ଜୀବନ ଚାଲିଯାଇଛି । ଯାଜପୁରରୁ ଆସିଛି ଏଭଳି ଏକ ଦୁଃଖଦ ଘଟଣା । ମାଲବାହୀ ଟ୍ରେନ ତଳେ ଆଶ୍ରୟ ନେଇଥିବା ଅବସ୍ଥାରେ ଟ୍ରେନରେ କଟି ଏହି ବ୍ୟକ୍ତିମାନେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ବର୍ଷା, ପବନ ଯୋଗୁଁ ଯାଜପୁର ରୋଡ଼ ରେଳ ଷ୍ଟେସନର ଟ୍ରେନ ତଳେ କିଛି ଶ୍ରମିକ ଆଶ୍ରୟ ନେଇଥିଲେ । ମାତ୍ର ଦୁର୍ଭାଗ୍ୟବଶତଃ ଏଭଳି ଅଘଟଣ ଘଟିଥିଲା । ଏହି ଦୁର୍ଘଟଣାରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି ।

ସୂଚନା ଯୋଗ୍ୟ ଯେ, ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ସମ୍ପର୍କୀୟଙ୍କ ଦୁଃଖ କହିଲେ ନସରେ । ବିଭିନ୍ନ ରାଜ୍ୟରୁ ମୃତକଙ୍କ ସମ୍ପର୍କୀୟମାନେ ସେମାନଙ୍କର ନିଜର ଲୋକଙ୍କୁ ଚିହ୍ନଟ ପାଇଁ ଓଡ଼ିଶା ଆସିଥିଲେ । ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ମୃତକଙ୍କ ଫଟୋ ଓ ତଥ୍ୟ ୩ଟି ୱେବସାଇଟରେ ଜାରି କରାଯାଇଥିଲା । ଏହା ମଧ୍ୟରେ ମୃତଦେହ ଚିହ୍ନଟ କ୍ଷେତ୍ରରେ କିଛି ବିବାଦ ମଧ୍ୟ ଦେଖିବାକୁ ମିଳିଥିଲା । ଗୋଟିଏ ଶବର ଏକାଧିକ ଦାବିଦାର ଦେଖିବାକୁ ମିଳିଥିଲା । ସରକାରୀ ସହାୟତା ହାତେଇବା ଲୋଭରେ ଏଭଳି ଅଘଟଣ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.