ଖାକିରେ ଲାଗିଲା କଳଙ୍କ! ଇନ୍ସପେକ୍ଟର ଓ କନଷ୍ଟେବଳ ଲୁଟିନେଲେ ୩୬ ଲକ୍ଷ ଟଙ୍କାର ଅଳଙ୍କାର, ଶେଷରେ ଗିରଫ ହେଲେ

ନୂଆଦିଲ୍ଲୀ: ଆମ ସମାଜରୁ ଅନ୍ୟାୟ, ଦୁର୍ନୀତି, ଚୋରି, ଆଦି ଅସାମାଜିକ କାର୍ଯ୍ୟକୁ ଦୂର କରି ଜନସାଧାରଣଙ୍କୁ ନ୍ୟାୟ ଦେବା ହେଉଛି ପୋଲିସର ମୁଖ୍ୟ କାର୍ଯ୍ୟ । ତେବେ ପୋଲିସ ଯଦି ନିଜେ ଚୋର ସାଜିବ ତେବେ କହିବା କାହାକୁ । ଜଣେ ପୋଲିସ ଇନ୍ସପେକ୍ଟରଙ୍କ ସହିତ ଅନ୍ୟ କିଛି ପୋଲିସ କର୍ମଚାରୀ ମିଶି ଏକ ବଡ଼ ଧରଣର ଲୁଟ୍ କରିଥିଲେ । ଶେଷରେ ଏହି ଘଟଣାର ପର୍ଦ୍ଦାଫାସ ହୋଇଥିଲା । ଲୁଟରେ ସମ୍ପୃକ୍ତ ଥିବା ସମସ୍ତ ପୋଲିସ ବାବୁ ଏବେ ଜେଲରେ ରାତି କଟାଉଛନ୍ତି ।

ସୂଚନା ମୁତାବକ, ଉତ୍ତରପ୍ରଦେଶର କାନପୁରରୁ ଆସିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଜଣେ ପୋଲିସ ଇନ୍ସପେକ୍ଟର ଓ କନଷ୍ଟେବଳ ମିଶି ପାଖାପାଖି ୫୦ କେଜିର ରୁପା ଅଳଙ୍କାର ଲୁଟ୍ କରିବା ପରେ ଫେରାର ହୋଇଯାଇଥିଲେ । ପରେ ପୋଲିସ ବାବୁଙ୍କର ସରକାରୀ କ୍ୱାର୍ଟରରୁ ଏହି ବିପୁଳ ପରିମାଣର ଅଳଙ୍କାର ଜବତ କରାଯାଇଥିଲା । ତେବେ ଏହି ଲୁଟ ଅଳଙ୍କାର ଆନୁମାନିକ ମୂଲ୍ୟ ୩୬ ଲକ୍ଷ ହେବ ବୋଲି ଜଣାପଡ଼ିଛି ।

ତେବେ ପୋଲିସ କର୍ମଚାରୀଙ୍କର ଏଭଳି କାରନାମାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଥାନାବାବୁ ଓ କନେଷ୍ଟବଳଙ୍କୁ ଏହି ମାମଲାରେ ଗିରଫ କରାଯାଇଛି । ଏହି ଘଟଣା ପରେ ଏବେ ଖାକିରେ କଳଙ୍କର ଦାଗ ଲାଗିଯାଇଛି । ପୋଲିସ ବାବୁମାନେ ଚେକିଂ କରିବା ବାହାନାରେ ଜଣେ ଗହଣା ବ୍ୟବସାୟୀଙ୍କ କାରକୁ ଅଟକାଇଥିଲେ । ପରେ ସୁଯୋଗ ଦେଖି କାରରେ ରଖାଯାଇଥିବା ୫୦ କେଜିର ରୁପା ଅଳଙ୍କାର ଲୁଟ୍ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଗତ ୬ ତାରିଖରେ ଏହି ଘଟଣା ଘଟିଥିବା ବେଳେ ୭ ତାରିଖରେ ମାମଲା ଦାୟର ହୋଇଥିଲା ।