ଗଣଶିକ୍ଷା ବିଭାଗରେ ନିଯୁକ୍ତି ପାଇବେ ୧୬୦ ଜଣ ଓଡ଼ିଶା ଶିକ୍ଷା ସେବା ଅଧିକାରୀ: ଜୁନ ୧୯ରେ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ୧୬୦ ଜଣ ଓଡ଼ିଶା ଶିକ୍ଷା ସେବା ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ । ଆସନ୍ତା ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ନିଯୁକ୍ତି ପତ୍ର ପ୍ରଦାନ କରିବେ । ଷ୍ଟେଟ କନଭେନସନ୍ ସେଣ୍ଟରଠାରେ ନବ ନିଯୁକ୍ତ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଏନେଇ ଆଜି ଭୁବନେଶ୍ୱର ସ୍ଥିତ କୃଷି ଭବନ ସମ୍ମିଳନୀ କକ୍ଷରେ ଏକ କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓପିଏସସି ଦ୍ୱାରା ମନୋନୀତ ୧୬୦ ଜଣଙ୍କ ମଧ୍ୟରୁ ୧୫୮ ଜଣ କାଉନସେଲିଂ ପ୍ରକ୍ରିୟାରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ କାଉନସେଲିଂ ପ୍ରକ୍ରିୟା ସମ୍ବନ୍ଧୀୟ ସମସ୍ତ ବିବରଣୀ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ପ୍ରଦାନ କରିଥିଲେ । ଏହାପରେ ନବନିଯୁକ୍ତ ଅଧିକାରୀଙ୍କୁ ସେମାନଙ୍କ ନିଯୁକ୍ତି ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରାଯାଇଥିଲା ।

କେଉଁ ଅଧିକାରୀ କେଉଁ ସ୍ଥାନରେ କେଉଁ ପଦବୀରେ ଯୋଗଦେବେ ତାହା ସେମାନଙ୍କୁ ଜଣାଇ ଦିଆଯାଇଥିଲା । କାର୍ଯ୍ୟକ୍ରମର ଚୂଡ଼ାନ୍ତ ପର୍ଯ୍ୟାୟରେ ନବନିଯୁକ୍ତ ଅଧିକାରୀମାନେ ସେମାନଙ୍କ ସମସ୍ତ ଦ୍ୱନ୍ଦ୍ୱ ପଚାରି ବୁଝିଥିଲେ । ନିଯୁକ୍ତି ପାଇବାକୁ ଥିବା ଏହି ଅଧିକାରୀଙ୍କ ନିମନ୍ତେ ସମସ୍ତ ବ୍ୟବସ୍ଥା ବିଭାଗ ପକ୍ଷରୁ ଆୟୋଜିତ କରାଯାଇଥିଲା । ଏହି ଅବସରରେ ଓଡ଼ିଶା ରାଜ୍ୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଶିକ୍ଷା ସେବା ଅଧିକାରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କୁ ନିଜ କର୍ତ୍ତବ୍ୟ ସଠିକ୍ ଭାବେ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ପ୍ରମୁଖ ସାମିଲ ହୋଇଥିଲେ ।