fbpx

ରାଜ୍ୟରେ ପ୍ରତିଷ୍ଠା ହେବ ଜଳ ସୂଚନା କେନ୍ଦ୍ର: ପ୍ରସ୍ତାବ ପ୍ରସ୍ତୁତ କରିବା ନେଇ ଭୂତଳ ଜଳ ବୋର୍ଡକୁ ଜଳସମ୍ପଦ ବିଭାଗର ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଦେଶର ଜନସଂଖ୍ୟା ବୃଦ୍ଧି ହେବା ସହିତ ଏହା ମଧ୍ୟରେ ଭାରତ ବିଶ୍ୱର ସର୍ବାବୃହତ ଜନବହୁଳ ରାଷ୍ଟ୍ର ଭାବେ ପରିଗଣିତ ହୋଇଛି । ତେବେ ଜନସଂଖ୍ୟା ବଢ଼ୁଥିବାରୁ ଜଳର ଆବଶ୍ୟକତା ମଧ୍ୟ ବଢ଼ିବାରେ ଲାଗିଛି । ଫଳରେ ଦିନକୁ ଦିନ ଭୂପୃଷ୍ଠର ଜଳସ୍ତର ହ୍ରାସ ପାଇବାରେ ଲାଗିଛି ଓ ଆଗାମୀ ଦିନରେ ଏହି ସମସ୍ୟା ଆହୁରି ବଢ଼ିବାରେ ଲାଗିବ । ତେଣୁ ଏପରି ସ୍ଥିତିରେ ଜଳର ସଠିକ୍ ପରିଚାଳନା ଓ ଜଳର ଉପଲବ୍ଧତା ନିହାତି ଜରୁରୀ ହୋଇ ପଡ଼ିଛି ।

ଗତ ୨୦୧୮ ମସିହା ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ଜାତୀୟ ଜଳ ସୂଚନା କେନ୍ଦ୍ର ପ୍ରତିଷ୍ଠା କରିଥିଲେ । ତେଣୁ ଜଳର ସଠିକ୍ ପରିଚାଳନା କରିବା ପାଇଁ ରାଜ୍ୟ ସରକାର ମଧ୍ୟ ଏକ ଜଳ ସୂଚନା କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା କରୁଛନ୍ତି । ସେଥିପାଇଁ ଆବଶ୍ୟକ ବିସ୍ତୃତ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ଭୂତଳ ଜଳ ବୋର୍ଡକୁ କୁହାଯାଇଛି । କେନ୍ଦ୍ର ସରକାର ପୂର୍ବରୁ ଜଳ ପରିଚାଳନା ନେଇ ପଦକ୍ଷେପ ନେଇ ସାରିଥିବା ବେଳେ ରାଜ୍ୟ ସରକାର ଏ ନେଇ ଡାଟାବେସ ପ୍ରସ୍ତୁତ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ରାଜ୍ୟର ବିଭିନ୍ନ ଜଳ ଉତ୍ସ ଓ ଏହାର ଉପଲବ୍ଧତା ତଥ୍ୟ ଜଳ ସୂଚନା କେନ୍ଦ୍ରରେ ରହିବ । ଫଳରେ ଜଳର ସଠିକ୍ ପରିଚାଳନା କରାଯାଇ ପାରିବ । ଏନେଇ ଏକ ବିସ୍ତୃତ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ଜଳସମ୍ପଦ ବିଭାଗ ପକ୍ଷରୁ ଭୂତଳ ଜଳ ବୋର୍ଡର ମୁଖ୍ୟଯନ୍ତ୍ରୀ ତଥା ନିର୍ଦ୍ଦେଶକ ଓ ଜାତୀୟ ଜଳ ବିଜ୍ଞାନ ପ୍ରକଳ୍ପର ରାଜ୍ୟ ପ୍ରକଳ୍ପ ପରିଚାଳନା ୟୁନିଟ ନୋଡାଲ ଅଧିକାରୀଙ୍କୁ ଚିଠି ଲେଖାଯାଇଛି । ଜରୁରୀକାଳୀନ ଭିତ୍ତିରେ ଏହ ପ୍ରସ୍ତାବ ପଠାଇବାକୁ କୁହାଯାଇଥିବା ବେଳେ ପ୍ରସ୍ତାବ ମିଳିବା ପରେ ରାଜ୍ୟ କ୍ୟାବିନେଟକୁ ଅନୁମୋଦନ ପାଇଁ ପଠାଯିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.