ଆପତ୍ତିଜନକ କହି ସେନସର ବୋର୍ଡ କଲା ପ୍ରତ୍ୟାଖ୍ୟାନ , ପଛକୁ ନ ହଟି ଡିଜିଟାଲ୍ ପ୍ଲାଟଫର୍ମରେ ଟ୍ରେଲର ରିଲିଜ୍ କଲେ ନିର୍ମାତା

ନୂଆଦିଲ୍ଲୀ: ଫିଲ୍ମ ‘୭୨ ହୁରେଁ’ର କାହାଣୀ ଆତଙ୍କବାଦର କଳା ଦୁନିଆର ଚିତ୍ର ସାମ୍ନାକୁ ଆଣିଛି । ଆତଙ୍କବାଦୀମାନେ ପ୍ରଥମେ କିପରି ଯୁବକମାନଙ୍କ ବ୍ରେନ୍ ୱାଶ୍ କରିଥାନ୍ତି ଓ ପରେ ନୀରିହ ଲୋକଙ୍କୁ ହତ୍ୟା କରିବା ଲାଗି ସେମାନଙ୍କୁ ବାଧ୍ୟ କରିଥାନ୍ତି ତାହା ଉପରେ ଫିଲ୍ମର କାହାଣୀ ପର୍ଯ୍ୟବେଶିତ । ଆତଙ୍କବାଦୀଙ୍କ କହିବା କଥା ଯେଉଁ ବ୍ୟକ୍ତି ନିଜର ଜୀବନକୁ ବଳି ଦେଇ ଅନ୍ୟର ଜୀବନ ନେଇଥାଏ ଆଲ୍ଲା ତାଙ୍କୁ ସ୍ୱର୍ଗରେ ସ୍ଥାନ ଦେଇଥାନ୍ତି ।

କିନ୍ତୁ ଫିଲ୍ମ ‘‘୭୨ ହୁରେଁ’ ର ଟ୍ରେଲରକୁ ଆପତ୍ତିଜନକ କହି ସେନସର ବୋର୍ଡ(ସିବିଏଫସି)ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲା । ଏହାପରେ କିନ୍ତୁ ନିର୍ମାତା ପଛକୁ ହଟି ଯାଇ ନ ଥିଲେ । ଫିଲ୍ମଟିକୁ ଡିଜିଟାଲ୍ ପ୍ଲାଟଫର୍ମରେ ରିଲିଜ୍ କରି ଦିଆଗଲା ।

ସେନସର ବୋର୍ଡ କହିଛି ସେ ଦର୍ଶକଙ୍କ ସମ୍ବେଦନଶୀଳତାକୁ ଗୁରୁତ୍ୱ ଦେଇଥାଏ । ତେଣୁ ସେ ଫିଲ୍ମର ଟ୍ରେଲରକୁ ଗ୍ରୀନ୍ ସିଗନାଲ୍ ଦେଇ ପାରିବ ନାହିଁ । ଏବେ ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ କହିଛନ୍ତି ସେ ଫିଲ୍ମକୁ ଯାଞ୍ଚ କରିବାକୁ ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ନିବେଦନ କରିବେ । ସେ କହିଛନ୍ତି କେଉଁ କାରଣରୁ ଏହି ଜାତୀୟ ପୁରସ୍କାର ପ୍ରାପ୍ତ ଫିଲ୍ମକୁ ପ୍ରମାଣପତ୍ର ଦିଆଯାଉନାହିଁ । ସେନସର ବୋର୍ଡକୁ କେଉଁମାନେ ବଦନାମ କରୁଛନ୍ତି । ସେ କହିଛନ୍ତି ମୁଁ ଆଶା କରୁଛି ଯେ, ମୋତେ ନ୍ୟାୟ ମିଳିବ ।
ଟ୍ରେଲର ପୂର୍ବରୁ ଫିଲ୍ମର ଟିଜର ରିଲିଜ୍ ହୋଇଥିଲା । କିନ୍ତୁ ଏହା ଉପରେ ବିବାଦ ହୋଇ ନ ଥିଲା । ଏଥିରେ ହାପିଜ୍ ସଇଦ, ଓସମା ବିନ୍ ଲାଦେନ, ମସୁଦ ଅଜହର ଓ ୟାକୁବ୍ ମେନନ ପରି ଆତଙ୍କବାଦୀମାନଙ୍କର ବ୍ୟାକଗ୍ରାଉଣ୍ଡ ଭଏସ୍ ବ୍ୟବହାର କରାଯାଇଥିଲା । ଏଥିରେ ଦେଖାଯାଇଥିଲା ଯେ, ଆତଙ୍କବାଦୀମାନେ ଯୁବକମାନଙ୍କୁୁ ୭୨ ହୁରୋଁର ଲୋଭ ଦେଖାଇ ଜିହାଦ କରିବାକୁ ବାଧ୍ୟ କରୁଛନ୍ତି ।

ଏହି ଫିଲ୍ମଟି ବହୁ ମାତ୍ରାରେ ଦି କେରଳ ଷ୍ଟୋରୀ ପରି । ଫିଲ୍ମଟି ସେହି ଯୁବଗୋଷ୍ଠୀମାନଙ୍କ ଉପରେ ଗଢି ଉଠିଛି ଯେଉଁର୍ମାନଙ୍କ ବ୍ରେନୱାଶ କରାଯାଇ ସେମାନଙ୍କୁ ଆତ୍ମଘାତୀ ବିସ୍ଫୋରକ ଭାବରେ ପ୍ରସ୍ତୁତ କରାଯାଉଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଫିଲ୍ମଟି ୭ ଜୁଲାଇରେ ସିନେମା ଘରେ ରିଲିଜ୍ ହେବାକୁ ଯାଉଛି । ଫିଲ୍ମରେ ପବନ ମାଲହୋତ୍ରା, ଅମୀର ବସିର, ରଶିଦ ନାଜ, ଅଶୋକ ପାଠକ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପୁରନ ସିଂହ ଚୌହାନ ।