fbpx

ଡାକ୍ତରଙ୍କ ଖୁଲାସା : ୭୦ ରୁ ୯୦ ପ୍ରତିଶତ ଭାରତୀୟଙ୍କଠାରେ ରହିଛି ଭିଟାମିନ୍‌ ଡି’ଅଭାବ

ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ୭୦ ରୁ ୯୦ ପ୍ରତିଶତ ଭାରତୀୟଙ୍କଠାରେ ଭିଟାମିନ୍‌ ଡି’ଅଭାବ ରହିଛି। ଏହି କାରଣରୁ ସେମାନେ ଟାଇପ୍‌-୨ ଡାଇବେଟିସ୍‌ ଓ ଉଚ୍ଚରକ୍ତଚାପର ଶିକାର ହେଉଛନ୍ତି ବୋଲି କହିଛନ୍ତି ଶୁଶ୍ରୂଷା ହସ୍ପିଟାଲ, ମୁମ୍ବାଇର ଚିକିତ୍ସକ ପି.ଜି ତଲଓ୍ବାର । ଏହା ମଧ୍ୟ କିଛି କ୍ରୋନିକ୍‌ ଡିଜିଜର କାରଣ ବି ହେଉଛି।

ଭାରତରେ ୮୦ ପ୍ରତିଶତ ଗର୍ଭବତୀ ମହିଳାଙ୍କଠାରେ ଭିଟାମିନ୍‌ ଡି’ଅଭାବ ରହୁଛି ଓ ଏହାଯୋଗୁ ସେମାନଙ୍କ ସନ୍ତାନ ଜନ୍ମହେବା ପରେ ଏହି ସମସ୍ୟାର ଶିକାର ହେଉଛନ୍ତି। ବୟସ୍କମାନେ ଭିଟାମିନ୍‌ ଡି’ ଅଭାବରେ ରହିଲେ ସେମାନଙ୍କ ଅସ୍ଥି ଓ ମାଂସପେଶୀ ମଧ୍ୟ ଦୁର୍ବଳ ହୋଇଯାଏ ବୋଲି କହିଛନ୍ତି ଆବୋଟ୍‌ ଇଣ୍ଡିଆର ନିର୍ଦ୍ଦେଶକ ଶ୍ରୀରୂପ ଦାସ।

ମୁମ୍ବାଇର ୧,୫୦୮ ଜଣଙ୍କୁ ଅନୁଧ୍ୟାନରେ ସାମିଲ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୮୪.୨ ପ୍ରତିଶତ ଡାଇବେଟିସ ଓ ୮୨.୬ ପ୍ରତିଶତ ଉଚ୍ଚରକ୍ତଚାପରେ ପୀଡ଼ିତ ଥିଲେ। ଏହା ସହ ୭୬ ପ୍ରତିଶତ ଥାଇରଏଡ୍‌ ସମସ୍ୟା ଓ ୮୨ ପ୍ରତିଶତ ମେଦବହୁଳତାର ଶିକାର ହୋଇଥିବା ଲକ୍ଷ୍ୟ କରାଯାଇଥିଲା।

ଏହି ସବୁ ସ୍ବାସ୍ଥ୍ୟଗତ ସମସ୍ୟା ଭିଟାମିନ ଡି’ ଅଭାବ ଯୋଗୁ ହେଉଛି ବୋଲି କହିଛନ୍ତି ଡ. ତଲଓ୍ବାର। ଭାରତରେ ଅଧିକାଂଶ ଲୋକ ସୂର୍ଯ୍ୟାଲୋକ ସଂସ୍ପର୍ଶରେ ନଆସିବା ଓ ଅବ୍ୟବସ୍ଥିତ ଜୀବନଶୈଳୀ ଯୋଗୁ ସେମାନେ ଭିଟାମିନ ଡି’ଅଭାବ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାବାଦ୍‌ ଅତ୍ୟଧିକ ବାୟୁ ପ୍ରଦୂଷଣ ଯୋଗୁ ମଧ୍ୟ ତ୍ୱଚା ଭିଟାମିନ୍‌ ଡି ’ଗ୍ରହଣ କରିବାରେ ବାଧା ଉପୁଜୁଛି।

Get real time updates directly on you device, subscribe now.