ମହାରାଷ୍ଟ୍ର ରାଜନୀତିରେ ବ୍ୟାପକ ହଟଚମଟ: ଶିବସେନା ନେତା ସଞ୍ଜୟ ରାଓତ କହିଲେଣି ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ବି ବଦଳିଯିବେ
ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ରୁ ଯାଇ ବିଜେପି ସହ ମିଶିଥିବା ଅଜିତ ପାୱାରଙ୍କ ଉପରେ ଏବେ ଆକ୍ସନ ନେବା ମୁଡ୍ କୁ ଆସି ଯାଇଛନ୍ତି ଶରଦ ପାୱାର । ଏନସିପି ଅଜିତ ପାୱାର ଓ ୮ ଜଣ ଅନ୍ୟ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ବିଧାନସଭା ଅଧ୍ୟକ୍ଷ ରାହୁଲ ନାରୱେକରଙ୍କୁ ଚିଠି ଲେଖିଛନ୍ତି । ଏହା ସହିତ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ଏକ ମେଲ୍ ପଠାଯାଇଛି ଯେଉଁଥିରେ କୁହାଯାଇଛି ଯେ, ଏନସିପିର ଭାର ଏବେ ସଂପୂର୍ଣ୍ଣ ଭାବରେ ପାର୍ଟି ପ୍ରମୁଖ ଶରଦ ପାୱାରଙ୍କ ହାତରେ ରହିଛି ଓ ସମସ୍ତ ଜିଲ୍ଲାର ଦଳୀୟ କର୍ମୀମାନେ ଶରଦ ପାୱାରଙ୍କୁ ଦୃଢ ସମର୍ଥନ କରୁଛନ୍ତି ।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ଗତକାଲି ଏନସିପି ନେତା ଅଜିତ ପାୱାର ନିଜର ୪୦ ସମର୍ଥକଙ୍କ ସହିତ ଏକନାଥ ସିନ୍ଦେ ସରକାରରେ ସାମିଲ ହୋଇଥିଲେ । ଏହା ସହିତ ଅଜିତ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ବି ନେଇ ସାରିଛନ୍ତି । ଏହା ସହିତ ୮ ଜଣ ଅନ୍ୟ ବିଧାୟକ ବି ମନ୍ତ୍ରୀ ପଦରେ ଶପଥ ନେଇଛନ୍ତି । ଅଜିତ ପାୱାର ଦାବୀ କରିଛନ୍ତି ଯେ, ତାଙ୍କ ପାଖରେ ୪୦ ବିଧାୟକଙ୍କ ସମର୍ଥନ ରହିଛି ।
ବିଶେଷ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଶରଦ ପାୱାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଜିତଙ୍କ ସହିତ ଏନସିପିର ୯ ଜଣ ବିଦ୍ରୋହୀଙ୍କ ନାଁରେ ଅଯୋଗ୍ୟ ଆବେଦନ ଦାଖଲ କରାଯାଇଛି । ଅନ୍ୟପକ୍ଷରେ ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି-ଶିବସେନା ଗଠବନ୍ଧନକୁ ସମର୍ଥନ ଦେବା ଓ ସରକାରରେ ସାମିଲ ହେବାକୁ ନେଇ ଅଜିତ ପାୱାରଙ୍କ ଏହି ନିଷ୍ପତ୍ତି ବିପକ୍ଷୀ ଏକତା ଲାଗି ଏକ ଝଟକା ସାବ୍ୟସ୍ତ ହୋଇଛି । ମହାରାଷ୍ଟ୍ର ରାଜନୀତିରେ ଏପରି ହଲଚଲକୁ ଲକ୍ଷ୍ୟ କରି ଶିବସେନା ନେତା ସଞ୍ଜୟ ରାଓତ କହିଛନ୍ତି, ଖୁବ୍ ଶୀଘ୍ର ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ମଧ୍ୟ ବଦଳିବାକୁ ଯାଉଛି । ସେ କହିଛନ୍ତି ଏକନାଥ ସିନ୍ଦେଙ୍କୁ ହଟାଇ ଦିଆଯିବ ଓ ସେ ଏବଂ ତାଙ୍କର ୧୬ ଜଣ ବିଧାୟକ ଅଯୋଗ୍ୟ ହୋଇଯିବେ ।
ଅନ୍ୟପକ୍ଷରେ ନାଗପୁରର ବୁଟିବୋରୀ ଉପନଗରରେ ଫଡନବିସଙ୍କୁ ମହାରାଷ୍ଟ୍ରର ଚାଣକ୍ୟ ଭାବରେ ଚିତ୍ରିତ କରି ଏକ ପୋଷ୍ଟର ଲଗାଯାଇଥିବାର ଦେଖିବାକୁ ମିଳୁଛି ।