ଆଇଏଏସ୍ ସ୍ତରରେ ଅଦଳବଦଳ: ଯାମିନୀ ଷଡ଼ଙ୍ଗୀ ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ

ଭୁବନେଶ୍ୱର, : ରାଜ୍ୟ ସରକାର ସୋମବାର ଆଇଏଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ୨୦୦୮ ବ୍ୟାଚ୍ ଆଇଏଏସ୍ ଯାମିନୀ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୋମବାର ଜାରି ବିଜ୍ଞପ୍ତି ଅନୁସାରେ ଶ୍ରୀମତୀ ଷଡ଼ଙ୍ଗୀ ଓଡ଼ିଶା ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଛନ୍ତି । ଏହାସହିତ ସେ ଅର୍ଥ ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ ।

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ ପଦବୀକୁ ଆଇଏଏସ୍ କ୍ୟାଡରରେ ଅତିରିକ୍ତ ସଚିବ ପାହ୍ୟାକୁ ଉନ୍ନୀତ କରାଯାଇଛି । ସେହିପରି ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ପଦୋନ୍ନତିପ୍ରାପ୍ତ ଆଇଏଏସ୍ ୨୦୧୨ ବ୍ୟାଚର ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି ।

ଧର୍ମଗଡ଼ ଉପଜିଲ୍ଲାପାଳ ତଥା ଧର୍ମଗଡ଼ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ୨୦୨୦ ବ୍ୟାଚ୍ ଆଇଏଏସ୍ ବେଦଭୂଷଣଙ୍କୁ ସମ୍ବଲପୁର ମହାନଗର ନିଗମର କମିଶନର ଭାବେ ବଦଳି ହୋଇଛି । ବରିଷ୍ଠ ଓଏଏସ୍ ତଥା ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ନୃସିଂହ ଚରଣ ସ୍ୱାଇଁଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।