fbpx

ଉତ୍ତମ ସମ୍ପର୍କରେ ରହି ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ: ଓଡ଼ିଶା ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ପ୍ରେମ, ବିବାହ ଓ ଛାଡ଼ପତ୍ରକୁ ନେଇ ଅନେକ ମାମଲା ଦେଖିବାକୁ ମିଳୁଛି । ତେବେ ରିଲେସନଶିପକୁ ନେଇ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଭଲ ସମ୍ପର୍କରେ ଥାଇ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି । ଉତ୍ତମ ସମ୍ପର୍କ ଥାଇ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ମନ୍ଦ ଉଦ୍ଦେଶ୍ୟରେ ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ସମାନ କଥା ନୁହେଁ ବୋଲି କୋର୍ଟ କହିଛନ୍ତି ।

ସୂଚନା ମୁତାବକ, ରାଜଧାନୀ ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ଯୁବତୀ ତାଙ୍କର ପୁରୁଷ ବନ୍ଧୁଙ୍କ ବିରୋଧରେ ଥାନାରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ । ଏହାପରେ ଉକ୍ତ ଯୁବକଙ୍କୁ ପୋଲିସ ଗିରଫ କରିବା ସହିତ ତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ୩୭୬ ଦଫା ଲାଗିଥିଲା । ଏହାକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ପୁରୁଷ ବନ୍ଧୁ କୌଣସି ପ୍ରକାର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିନଥିବା ବିଚାରପତି ସ୍ପଷ୍ଟ କରିଥିଲେ ।

କୋର୍ଟଙ୍କ ଅନୁଯାୟୀ, ଯଦି ଯୁବକ ଜଣଙ୍କ କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଶାରୀରିକ ସମ୍ପର୍କ ରଖିଥାନ୍ତେ ତେବେ ତାଙ୍କ ବିରୋଧରେ ଆଇପିସିର ଧାରା ୩୭୬ ଲାଗିଥାନ୍ତା । ଦୀର୍ଘଦିନ ଧରି ସମ୍ପର୍କରେ ରହିବା ପରେ ଦୁହିଁଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ଭଲ ବନ୍ଧୁତାରୁ ଆରମ୍ଭ ହୋଇଥିବା ସମ୍ପର୍କରେ ଫାଟ ସୃଷ୍ଟି ହେଲେ ସେ କ୍ଷେତ୍ରରେ ପୁରୁଷ ବନ୍ଧୁଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହେବା ଗ୍ରହଣୀୟ ନୁହେଁ ବୋଲି କୋର୍ଟ କହିଛନ୍ତି ।

Get real time updates directly on you device, subscribe now.