(Video) ଟମାଟୋ ବଞ୍ଚାଇବାକୁ ରହିଛନ୍ତି Bodyguard: ମୂଲ୍ୟବାନ ବିଲାତି ପାଇଁ ଦୋକାନୀଙ୍କ ନିଆରା ପ୍ରୟାସ

ନୂଆଦିଲ୍ଲୀ: ଦିନକୁ ଦିନ ଟମାଟୋ ଦର ବୃଦ୍ଧି ପାଇବାରେ ଲାଗିଛି । ୧୫-୨୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ବର୍ତ୍ତମାନ ଅଧିକାଂଶ ସ୍ଥାନରେ ୧୩୦-୧୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ କିଛି ସ୍ଥାନରେ ଏହା ୨୦୦ ବି ଛୁଇଁଛି । ପନିପରିବାର ଏହି ମୂଲ୍ୟବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କଠାରୁ ଆରମ୍ଭ ହୋଇ ବିକ୍ରେତା, ସମସ୍ତେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଟମାଟୋ ମୂଲ୍ୟକୁ ନଜରରେ ରଖି ଜଣେ ଦୋକାନୀ ତାଙ୍କ ଦୋକାନରେ ଦୁଇ ଜଣ ବାଉନ୍ସର ରଖି ଦେଇଛନ୍ତି । କେବଳ ଟମାଟୋକୁ ରକ୍ଷା କରିବା ପାଇଁ ହିଁ ସ୍ୱତନ୍ତ୍ର ଭାବରେ ଏହି ଦୁଇ ବଡିଗାର୍ଡଙ୍କୁ ନିଯୁକ୍ତି କରିଛନ୍ତି ଦୋକାନୀ ।

ଟମାଟୋ ମୂଲ୍ୟ ଏତେ ବୃଦ୍ଧି ପାଇଛି ଯେ, ଏହାର ସୁରକ୍ଷା ପାଇଁ ବାଉନ୍ସର ମଧ୍ୟ ରଖିବା ପାଇଁ ବାଧ୍ୟ ହୋଇ ଯାଇଛନ୍ତି ବାରଣାସୀ ଏହି ପରିବା ଦୋକାନୀ । ମାର୍କେଟ ଭିତରେ ଏକ ଦୋକାନ ଭିତରେ ସେମାନଙ୍କୁ ଦେଖି ପରିବା କିଣିବାକୁ ଆସୁଥିବା ଗ୍ରାହକ ମଧ୍ୟ ଭୟରେ ପଡି ଯାଇଛନ୍ତି । ତେବେ ଦୋକାନୀଙ୍କୁ ଏ ନେଇ ପଚରା ଯିବାରୁ ସେ କହିଛନ୍ତି ଯେ, ଏବେ ଟମାଟୋ ଦର ଆକାଶଛୁଆଁ ହୋଇଗଲାଣି । ତେଣୁ ଟମାଟୋ କିଣିବା ପାଇଁ ଲୋକ ଯୁକ୍ତିତର୍କ କରୁଥିବା ବେଳେ ଏପରି ବିବାଦରୁ ବଞ୍ଚିବା ପାଇଁ ଦୁଇ ଜଣ ବାଉନ୍ସର ବା ବଡିଗାର୍ଡଙ୍କୁ ରଖାଯାଇଥିବା ସେ ପ୍ରକାଶ କରିଛନ୍ତି । ତେବେ ସମସ୍ତ ଟମାଟୋ ବିକ୍ରି ହେବା ପରେ ସେ ଉଭୟ ବାଉନ୍ସରଙ୍କୁ ଛାଡିଦେବେ ବୋଲି ସେ କହିଛନ୍ତି ।

ସୂଚନା ଥାଉ କି, ଟମାଟୋ ତଥା ଅନ୍ୟାନ୍ୟ ପରିବା ଦରବୃଦ୍ଧିକୁ ନେଇ ସପା କାର୍ଯ୍ୟକର୍ତ୍ତା ଏପରି ଏକ ନିଆରା ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । ଦରବୃଦ୍ଧିକୁ ପ୍ରତିବାଦ କରିବା ପାଇଁ ନିଜ ଦୋକାନ ସାମନାରେ ବାଉନ୍ସରଙ୍କୁ ନିଯୁକ୍ତି କରିଛନ୍ତି । ଏହାବ୍ୟତୀତ ସେ ପୋଷ୍ଟରରେ ପ୍ରଥମେ ଟଙ୍କା, ପରେ ଟମାଟୋ ବୋଲି ଲେଖି ସେ ଲଗାଇ ଦେଇଛନ୍ତି । ପରିବାକୁ ଛୁଇଁବା ସହିତ ଏହାର ମୂଲଚାଲ୍ କଲେ ବାଉନ୍ସର ତାଙ୍କୁ ଅଟକାଇ ପାରିବେ । ଦାମରେ ବୃଦ୍ଧି ଯୋଗୁଁ ଚୋର ଏବେ ସୁନାଗହଣା ଛାଡି ଟମାଟୋ ଲୁଟିବା ଆରମ୍ଭ କରି ସାରିଲେଣି ।