fbpx

ଭାରତ ଉପରେ କାର୍ଗିଲ ଯୁଦ୍ଧ ଲଦି ଦିଆଯାଇଥିଲା, ପାକିସ୍ତାନ ଆମ ପିଠିରେ ଆଘାତ କରିଥିଲା: ରାଜନାଥ ସିଂ

ନୂଆଦିଲ୍ଲୀ: ବୁଧବାର ଥିଲା କାର୍ଗିଲ ବିଜୟ ଦିବସ । ଏହି ଉପଲକ୍ଷେ ଭାରତ-ପାକ୍ ଯୁଦ୍ଧରେ ସହିଦ ହୋଇଥିବା ଅମର ଯବାନଙ୍କୁ ଦେଶ ଜଣାଇଛି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ଆଜକୁ ୨୪ବର୍ଷ ତଳେ ପାକ୍ ସେନାକୁ ଭାରତୀୟ ସେନା ପରାସ୍ତ କରି ବିଜୟ ବାନା ଉଡାଇଥିଲେ । ଲାହୋର ରାଜିନାମାକୁ ଅମାନ୍ୟ କରି କାଶ୍ମିରିର କାର୍ଗିଲ ଅଞ୍ଚଳରେ ପ୍ରବେଶ କରିଥିଲା ପାକ୍ ସେନା । ଦୀର୍ଘ ୨ମାସରୁ ଅଧିକ ସମୟ ଧରି ଚାଲିଥିଲା ଯୁଦ୍ଧ । ଏଥିରେ ଭାରତ ବିଜୟଲାଭ କରିଥିଲା । ଏହି ଯୁଦ୍ଧରେ ସହିଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି । ଏଥିପାଇଁ କାର୍ଗିଲ ୱାର ମେମୋରିଆଲରେ ଏହି ବିଜୟ ଦିବସ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ସେହିପରି ଦ୍ରାସରେ ଦୁଇଦିନିଆ ବିଜୟ ଦିବସ ପାଳନ କରାଯାଉଛି । ଏଥିରେ ମୁଖ୍ୟ ଅତିଥିଭାବେ ନଦର୍ଣ୍ଣ ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଯୋଗ ଦେଇଥିଲେ । ସହିଦ ବୀର ଯବାନଙ୍କ ପରିବାର ଏଥିରେ ଯୋଗଦେଇ ସେମାନଙ୍କର ସ୍ମୃତିଚାରଣ କରିଥିଲେ । ୧୯୯୯ ମସିହା ମେ ୮ତାରିଖରେ ଭାରତୀୟ ସେନା କାର୍ଗିଲରେ ପାକିସ୍ତାନ ସେନା ଅନୁପ୍ରବେଶ କରୁଥିବାର ଦେଖିବାକୁ ପାଇଥିଲା । ଏହାପରେ ଆରମ୍ଭ ହୋଇଥିଲା ଅପରେସନ ବିଜୟ । ମେ ୨୬ ତାରିଖରେ ଭାରତୀୟ ସେନା ଏୟାର ଷ୍ଟ୍ରାଇକ୍ କରିଥିଲା । ତେବେ ଭାରତୀୟ ସେନା ପାକିସ୍ତାନ ସେନା ସହ ଯୁଦ୍ଧ କରି ଗୋଟିଏ ପରେ ଗୋଟିଏ ଅଞ୍ଚଳ ପାକିସ୍ତାନ ସେନା ଦଖଲରୁ ମୁକ୍ତ କରିଥିଲା ।

ଜୁଲାଇ ୨୬ରେ ସମସ୍ତ ଅନୁପ୍ରବେଶକାରୀ ଆତଙ୍କବାଦୀ ଏବଂ ପାକିସ୍ତାନ ସେନାକୁ ହଟାଇ ଭାରତ ଅପରେସନ ବିଜୟର ସଫଳତା ଘୋଷଣା କରିଥିଲା । ଏହି ଯୁଦ୍ଧରେ ୫୨୭ଜଣ ଭାରତୀୟ ସେନା ସହିଦ ହୋଇଥିଲେ ଓ ୧୩୬୩ଜଣ ଆହତ ହୋଇଥିଲେ । ଭାରତୀୟ ସେନାର
କ୍ୟାପ୍ଟଟେନ ବିକ୍ରମ ବାତ୍ରା ଟାଇଗର ହିଲ୍‌ରେ ସହିଦ ହୋଇଥିଲେ । ଏହି ଦିବସ ଉପଲକ୍ଷେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ ବିଶିଷ୍ଟ ନେତା ଅମର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ କହିଥିଲେ ଭବିଷ୍ୟତରେ ଆବଶ୍ୟକ ପଡିଲେ ଆମେ ଏଲ୍‌ଓସୀ ସୀମାରେଖା ଡେଇଁବୁ । ସେ କହିଥିଲେ ଭାରତ ନିଜର ସମ୍ମାନ ଓ ପ୍ରତିଷ୍ଠାନ କାଏମ ରଖିବାକୁ ଏଲଓସି ଅତିକ୍ରମ କରିବାକୁ ପ୍ରସ୍ତୁତ ରହିଛି ।

Get real time updates directly on you device, subscribe now.