fbpx

ଆଣ୍ଡାମାନ ମୁଖ୍ୟ ସଚିବଙ୍କୁ ନିଲମ୍ବନ ଘଟଣା: କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଣ୍ଡାମାନର ମୁଖ୍ୟ ସଚିବ କେଶବ ଚନ୍ଦ୍ରଙ୍କ ନିଲମ୍ବନ ନେଇ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଭାରତର ପ୍ରଧାନ ବିଚାରପତି (ସିଜିଆଇ) ଡି ୱାଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଆଗରେ ଏହି ବିଷୟରେ ଉଲ୍ଲେଖ କରିଛନ୍ତି ଆଟର୍ଣ୍ଣି ଜେନେରାଲ୍ (ଏଜି) ଆର ଭେଙ୍କଟରମଣୀ । ଜରିମାନା ଲାଗୁ କରିବା ଏକ ବଡ଼ ନିର୍ଦ୍ଦେଶ ବୋଲି କହିବା ସହିତ ଏହି ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ ।

ସୂଚନା ଅନୁସାରେ, କେନ୍ଦ୍ରଶାସିତ ଅଞ୍ଚଳ ଆଣ୍ଡାମାନର ମୁଖ୍ୟ ସଚିବ କେଶବ ଚନ୍ଦ୍ରଙ୍କୁ ନିଲମ୍ବନ କରିବାକୁ ଅଗଷ୍ଟ ୩ ତାରିଖରେ ନିର୍ଦ୍ଦେଶ ଦେଇଥିଲେ କୋଲକାତା ହାଇକୋର୍ଟର ପୋର୍ଟ ବ୍ଲେୟାର ବେଞ୍ଚ । ଏହାସହ କୋର୍ଟର ଅବମାନନା ପାଇଁ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଆଡମିରାଲ ଡି କେ ଜୋଶୀଙ୍କୁ ୫ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଥିଲା । ତେବେ ଆଜି ସୁପ୍ରିମକୋର୍ଟ କୋଲକାତା ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି । ଜଷ୍ଟିସ୍ ଜେ ବି ପାରଦୀୱାଲା ଏବଂ ମନୋଜ ମିଶ୍ରଙ୍କୁ ନେଇ ଗଠିତ ବେଞ୍ଚ ସମସ୍ତ ଘଟଣା ବିଷୟରେ ଅବଗତ ହେବା ପାଇଁ ସମୟ ନେଇଛନ୍ତି ।

ଏହା କର୍ମଚାରୀଙ୍କ ନିର୍ଦ୍ଦିଷ୍ଟ ବିଭାଗକୁ ଦିଆଯାଉଥିବା ମଜୁରୀ ଏବଂ ଶ୍ରମିକଙ୍କ ନିୟମିତକରଣ ବିଷୟ ବୋଲି ପ୍ରକାଶ କରିଛନ୍ତି ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣୀ । ସୂଚନା ଥାଉ କି ହାଇକୋର୍ଟର ପୋର୍ଟ ବ୍ଲେୟାର ବେଞ୍ଚ ଗତ ଅଗଷ୍ଟ ୩ ରେ କେନ୍ଦ୍ରଶାସିତ ଅଞ୍ଚଳ ଆଣ୍ଡାମାନର ମୁଖ୍ୟ ସଚିବ କେଶବ ଚନ୍ଦ୍ରଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ଅଭିଯୋଗରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଆଡମିରାଲ ଡି କେ ଜୋଶୀଙ୍କ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋଲକାତା ହାଇକୋର୍ଟ ।

Get real time updates directly on you device, subscribe now.