fbpx

ଦେଶର ୫୦୮ଟି ରେଳ ଷ୍ଟେସନର ପୁନର୍ବିକାଶ ହେବ: ୨୫ ହଜାର କୋଟିର ପ୍ରକଳ୍ପକୁ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅମୃତ ଭାରତ ଷ୍ଟେସନ ଯୋଜନାରେ ଦେଶର ୫୦୮ଟି ରେଳ ଷ୍ଟେସନର ପୁନର୍ବିକାଶ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାକୁ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପ ପାଇଁ ୨୪ ହଜାର ୪୭୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଅମୃତ ଭାରତ ଷ୍ଟେସନ ଯୋଜନା ଅଧିନରେ ଦେଶର ବିଭିନ୍ନ ରାଜ୍ୟରେ ଥିବା ଷ୍ଟେସନର ନବୀକରଣ କରାଯିବ ।

ତେବେ ଆଜିର ଦିନ ଏକ ଐତିହାସିକ ଦିନ ବୋଲି ମୋଦୀ ଟ୍ୱିଟ୍ କରିଛନ୍ତି । ୨୫ ହଜାର କୋଟି ଟଙ୍କାର ପୁନର୍ବିକାଶ କାର୍ଯ୍ୟକ୍ରମ ରେଲୱେର ଭିତ୍ତିଭୂମି କ୍ଷେତ୍ରରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ । ଜନସାଧାରଣଙ୍କ ଭାବନାକୁ ସମ୍ମାନ ଦେଇ ସରକାର ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି । ଦକ୍ଷିଣ ଆଫ୍ରିକା, ୟୁକ୍ରେନ, ପୋଲାଣ୍ଡ ଓ ସ୍ୱିଡେନରେ ଯେତେ ରେଳ ଟ୍ରାକ ରହିଛି ଭାରତ ଗତ ୯ ବର୍ଷ ମଧ୍ୟରେ ସେତିକି ନିର୍ମିାଣ କରିଛି ବୋଲି ମୋଦୀ କହିଥିଲେ ।

ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରୁ ୨୫ଟି ଷ୍ଟେସନର ପୁନର୍ବିକାଶ ହେବ । ରାଜ୍ୟର ମଞ୍ଚେଶ୍ୱର, ଖୋର୍ଦ୍ଧା ରୋଡ଼ ଆଦି ଷ୍ଟେସନ ବିଶ୍ୱସ୍ତରୀୟ ହେବ । ଏହିସବୁ ଷ୍ଟେସନଗୁଡ଼ିକରେ ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ଏହି କାର୍ଯ୍ୟକ୍ରମରେ ସାରା ଦେଶର ୧୦ ଲକ୍ଷ ଲୋକ ସାମିଲ ହୋଇଥିଲେ । ସେମାନଙ୍କର ମଧ୍ୟରେ ୪ ଲକ୍ଷ ଛାତ୍ର ଓ ୧ ଲକ୍ଷ ଶିକ୍ଷକ ରହିଥିଲେ । ଏଥିସହିତ ୧୯ଟି ରାଜ୍ୟର ରାଜ୍ୟପାଳ ଓ ଉପରାଜ୍ୟପାଳ, ୧୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀ, ୧୬ ଜଣ କେନ୍ଦ୍ରୀମନ୍ତ୍ରୀ, ୨୮ ଜଣ କେନ୍ଦ୍ର ରାଜ୍ୟମନ୍ତ୍ରୀ, ୬୬ ରାଜ୍ୟମନ୍ତ୍ରୀ କାର୍ଯ୍ୟକ୍ରମର ମୂକସାକ୍ଷୀ ପାଲଟିଥିଲେ ।

Get real time updates directly on you device, subscribe now.