fbpx

ରେଡ୍ ଲାଇଟ୍ ଅଞ୍ଚଳର ସର୍ଭେ କରିବ ଜିଲ୍ଲା ପ୍ରଶାସନ, ସୁଦୃଢ ହେବ ମହିଳା ଓ ନାବାଳିକା ଚାଲାଣ ନିରୋଧୀ ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟରେ ତଥା ଦେଶରେ ମହିଳା ଓ ନାବାଳିକା ଚାଲାଣ ବଢିବାରେ ଲାଗିଛି । ତେବେ ଏହା ଉପରେ ଅଙ୍କୁଶ ଲଗାଇବା ଲାଗି ପଦକ୍ଷେପ ନିଆଯାଇଛି । ରାଜ୍ୟରେ ଥିବା ପ୍ରତ୍ୟେକ ରେଡ୍ ଲାଇଟ୍ ଅଞ୍ଚଳରେ ସର୍ଭେ କରାଯିବ । ରେଡ୍ ଲାଇଟ୍ ରେ ରହୁଥିବା ମହିଳାମାନଙ୍କ ଏବଂ ସେମାନଙ୍କ ଆର୍ଥିକ, ସାମାଜିକ ଓ ପାରିବାରିକ ସ୍ଥିତି ସଂପର୍କରେ ସଂପୂର୍ଣ୍ଣ ବିବରଣୀ ଲିପିବଦ୍ଧ ହେବ । ଏହି ସର୍ଭେ ଆରମ୍ଭ କରିବା ଲାଗି ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଜିଲ୍ଲାପାଳଙ୍କ ରିପୋର୍ଟ ଆସିବା ପରେ ଇଣ୍ଟିଗ୍ରେଟେଡ୍ ଆଣ୍ଟି ହ୍ୟୁମାନ ଟ୍ରାଫିକିଂ ୟୁନିଟ୍ ଜରିଆରେ ମାନବ ଚାଲାଣ ରୋକିବା ଲାଗି ପଦକ୍ଷେପ ଗ୍ରହଣ କରାଯିବ । ମହିଳା ଓ ନାବାଳିକାଙ୍କ ଚାଲାଣ ରୋକିବା ପାଇଁ ୨୦୨୪ରେ ମହିଳା ଓ ଶିଶୁ ବିକାଶ ବିଭାଗ ସ୍ୱତନ୍ତ୍ର ନୀତି ପ୍ରଣୟନ କରିଥିଲା । ମହିଳା ତଥା ନାବାଳିକାମାନଙ୍କୁ ଯୌନଶୋଷଣ, ଶ୍ରମିକ ଭାବେ ନିୟୋଜିତ କରିବା, ବିବାହ ଲକ୍ଷ୍ୟରେ ଚାଲାଣ କରାଯାଇଥାଏ । ତେଣୁ ଏହାକୁ ରୋକିବା ଲାଗି ପଦକ୍ଷେପମାନ ନିଆଯାଉଛି ।

ରେଡ୍ ଲାଇଟ ଅଞ୍ଚଳରେ ରହି ଦେହ ବ୍ୟବସାୟ କରୁଥିବା ମହିଳାଙ୍କ ତଥ୍ୟ ସରକାରଙ୍କ ପାଖରେ ରହିବ । ଏହାଦ୍ୱାରା ସେଠାକୁ ନୂଆ ମହିଳା ଅଣାଗଲେ କିମ୍ବା ସେଠାରୁ ଅନ୍ୟତ୍ର ଚାଲାଣ ହେଲେ ଆଇଏଏଚଟିୟୁ ପକ୍ଷରେ ଜାଣିବା ସହଜ ହେବ । ମହିଳା ଓ ନାବାଳିକା ଚାଲାଣ ରୋକିବା ପାଇଁ ୨୦୧୩ ମସିହାରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯାଇଛି ।

Get real time updates directly on you device, subscribe now.