fbpx

Record Alert… ଦିନିକିଆ ଇତିହାସରେ ଇତିହାସ ଲେଖିଲା ଟିମ ଇଣ୍ଡିଆ: ୩୦୦୦ କ୍ଲବରେ ହେଲା ସାମିଲ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରେକର୍ଡ ବର୍ଷା କରିଛି ଟିମ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ୪୦୦ ରନର ଏକ ବିଶାଳ ଟାର୍ଗେଟ ଦେଇଛି ରାହୁଲ ସେନା । ଏହି ମ୍ୟାଚରେ ଶୁଭମନ ଗିଲ୍, ଶ୍ରେୟସ ଆୟରଙ୍କ ଶତକ ସହିତ ସୂର୍ଯ୍ୟକୁାର ଏବଂ ରାହୁଲଙ୍କ ଅର୍ଦ୍ଧଶତକ ବିଭିନ୍ନ ରେକର୍ଡ ଭାଙ୍ଗି ଇତିହାସ ଲେଖିଛି । ଗିଲଙ୍କ ଶତକ ଏବଂ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଇନିଂସ ଅନେକ ରେକର୍ଡ ନିଜ ନାମରେ କରିଛି । ତେବେ ଏହାବ୍ୟତୀତ ଟିମ ଇଣ୍ଡିଆ ମଧ୍ୟ ଆଉ ଏକ ରେକର୍ଡର ଅଧିକାରୀ ହୋଇଛି । ଯାହା ଦିନିକିଆ ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ ।

ଅଷ୍ଟ୍ରେଲିଆ ବିପକ୍ଷରେ ଆଜି ଭାରତୀୟ ଖେଳାଳି ମୋଟ ୧୮ଟି ଛକା ମାରି ବିପକ୍ଷୀ ବୋଲରଙ୍କୁ ଧରାଶାୟୀ କରି ଦେଇଛନ୍ତି । ଏଥିରୁ ସୂର୍ଯ୍ୟକୁମାରଙ୍କ ବ୍ୟାଟରୁ ସର୍ବାଧିକ ୬ଟି ଛକା ଦେଖିବାକୁ ମିଳିଛି । ତେବେ ଏହି ଛକା ସହ ଏକ ଇତିହାସ ଲେଖିବାର ସୁଯୋଗ ପାଇଛି ଟିମ ଇଣ୍ଡିଆ । ଦିନିକିଆ କ୍ରିକେଟରେ ୩୦୦୦ ଛକା ମାରିବାରେ ପ୍ରଥମ ଦେଶ ପାଲଟିଛି ଭାରତ । ଆଜିର ୧୮ଟି ଛକା ସହ ମୋଟ ୩୦୦୭ରେ ପହଞ୍ଚିଛି ଭାରତର ମୋଟ ଦିନିକିଆ ମ୍ୟାଚର ଛକା । ତେବେ ଏହି ତାଲିକାରେ ୨୯୫୩ଟି ଛକା ମାରି ଦ୍ୱିତୀୟ ସ୍ଥାନରେ ରହିଛି ୱେଷ୍ଟଇଣ୍ଡିଜ । ସେହିପରି ତୃତୀୟ ସ୍ଥାନରେ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ(୨୫୬୬) ରହିଛି ।

କ୍ରିକେଟରେ ସିକ୍ସର କିଙ୍ଗ ଭାବରେ ପରିଚୟ ପାଇଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ତାଙ୍କ ସହିତ ଯୁବରାଜ ସିଂହ, ବିରାଟ କୋହଲି, ରୋହିତ ଶର୍ମା, ବିରେନ୍ଦ୍ର ସେହୱାଗ ପ୍ରମୁଖ ଖେଳାଳି ଛକା ମାରିବା ତାଲିକାରେ ଖୁବ ଆଗରେ ରହିଛନ୍ତି । ଦିନିକିଆ କ୍ରିକେଟରେ ପାଦ ଥାପିବା ଦିନରୁ ଆଜି ପର୍ଯ୍ୟନ୍ତ ଭାରତୀୟ ବ୍ୟାଟ୍ସମ୍ୟାନ ମୋଟ ୩୦୦୭ଟି ଛକା ମାରିବାରେ ଏକ ବିରାଟ ରେକର୍ଡ ନିଜ ନାମରେ କରିଛନ୍ତି ।

Get real time updates directly on you device, subscribe now.