fbpx

ଜାତୀୟ ୟାଚିଂ ସିନିୟର ସେଲିଂ ଚାମ୍ପିୟନଶିପ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଓଡ଼ିଆ ଝିଅ ମନସ୍ଵିନୀ ମହାରଣା

ଓଡିଶା ଭାସ୍କର: ମୁମ୍ବାଇର ଜାତୀୟ ୟାଚିଂ ସିନିୟର ସେଲିଂ ଚାମ୍ପିୟନଶିପ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଗଞ୍ଜାମର ଝିଅ ମନସ୍ଵିନୀ ମହାରଣା । ଆର୍‌ଏକ୍ସ ମହିଳା ବର୍ଗରେ ଓଡ଼ିଶା ୟାଚିଂ ଆସୋସିଏଶନ ପକ୍ଷରୁ ମନସ୍ଵିନୀ ଅଂଶଗ୍ରହଣ କରିଥିଲେ। ତେବେ ଏହି ପ୍ରତିଯୋଗିତାରେ ସେ ଚମତ୍କାର ପ୍ରଦର୍ଶନ କରି ସ୍ଵର୍ଣ୍ଣ ଜିତିବା ସହ ଓଡିଶା ପାଇଁ ସୁନାମ ଅର୍ଜନ କରିଛନ୍ତି ।

ସୂଚନା ଯୋଗ୍ୟ, ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ପଣିବନ୍ଧ ଗ୍ରାମର ଭାସ୍କର ମହାରଣାଙ୍କ ଝିଅ ହେଉଛନ୍ତି ମନସ୍ଵିନୀ ମହାରଣା । ବୃତ୍ତିରେ ମନସ୍ଵିନୀ ମହାରଣାଙ୍କ ବାପା ଜଣେ କାରିଗର । ସେହିପରି ମା’ ପ୍ରମିଳା ମହାରଣା ଜଣେ ଗୃହିଣୀ। ତେବେ ମନସ୍ଵିନୀଙ୍କ ପରିବାର ଅତ୍ୟନ୍ତ ସାଧାରଣ ଓ ଗରିବ ହୋଇଥିବା ବେଳେ ଅର୍ଥ ଅଭାବରୁ ସେ ଅଧାରୁ ପାଠ ପଢା ଛାଡି ଦେଇଥିଲେ । ହେଲେ ଅଧା ପାଠ ପଢା ଛାଡ଼ି ମନସ୍ଵିନୀ ପାଣି ଖେଳକୁଦ ତଥା ପାଣିରେ ପହଁରିବାକୁ ଭଲ ପାଉଥିଲେ। ଏମିତି ଖେଳୁ ଖେଳୁ ବିଣ୍ଡ୍‌ସର୍ଫିଙ୍ଗ ଖେଳ ପ୍ରତି ତାଙ୍କର ଆଗ୍ରହ ବଢିଥିଲା। ଏହାପରେ ମାତ୍ର ୧୪ ବର୍ଷ ବୟସରେ ସେ ସମସ୍ତ ପ୍ରତିଯୋଗିତାକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ହୋଇଥିଲେ। ଏହା ଭିତରେ ମନସ୍ଵିନୀ ଅନେକ ଜାତୀୟ ବିଣ୍ଡସର୍ଫିଙ୍ଗ ପ୍ରତିଯୋଗିତାରେ ଭାଗ ନେଇ ସ୍ୱର୍ଣ୍ଣ ପଦକ ଓ ଟାଇଟଲ ଜିତି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ପାଲଟିଛନ୍ତି। ଯେଉଁଥି ପାଇଁ ଦୁଃସାହସିକ କ୍ରୀଡ଼ା ବିଜୟିନୀ ମନସ୍ଵିନୀ ମହାରଣାଙ୍କୁ ଓଡ଼ିଶା ଗୌରବ ପୁରସ୍କାର ପ୍ରଦାନ କରାଯାଇଛି।

Get real time updates directly on you device, subscribe now.