ଓଡ଼ିଶା ଭାସ୍କର: ରାମାୟଣ ହେଉ କି ମହାଭାରତ କିମ୍ବା ଅନ୍ୟ କୌଣସି ପୌରାଣିକ ଗ୍ରନ୍ଥ, ଯାହାକୁ ନେଇ ଅନେକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳେ । ଯେତେବେଳେ ପ୍ରଭୁ ରାମଙ୍କର ଭଉଣୀ କଥା ଶୁଣିବାକୁ ମିଳେ, ସେତେବେଳ ଆମଭିତରେ ତାଙ୍କ ବିଷୟରେ ଜାଣିବାକୁ ଉତ୍କଣ୍ଠା ବଢିଥାଏ, ଯାହାକୁ ବହୁତ କମ୍ ଲୋକ ଜାଣନ୍ତି । ଏପରିକି ତାଙ୍କ ବିଷୟରେ ରାମାୟଣରେ ଉଲ୍ଲେଖ କରାଯାଇ ନାହିଁ । ଆଜି ଆମେ ଆପଣଙ୍କୁ କହିବୁ ପ୍ରଭୁ ରାମଙ୍କ ଭଉଣୀ କିଏ ଏବଂ କାହିଁକି ରାମାୟଣରେ ତାଙ୍କ ବିଷୟରେ ଉଲ୍ଲେଖ କରାଯାଇ ନାହିଁ । ଯେତେବେଳେ ପ୍ରଭୁ ରାମ ୧୪ ବର୍ଷ ବନବାସ ପରେ ଅଯୋଧ୍ୟାକୁ ଫେରିଥିଲେ, ସେତେବେଳେ ଅଯୋଧ୍ୟାବାସୀ ଆନନ୍ଦରେ ସମଗ୍ର ଅଯୋଧ୍ୟାକୁ ଦୀପ ଦ୍ୱାରା ସଜାଇ ଥିଲେ । କୁହାଯାଏ ଯେ ଯେ ସେବେଠାରୁ ଦୀପାବଳିକୁ ଆମେ ଆଲୋକର ପର୍ବ ଭାବେ ପାଳନ କରିଥାଉ । ରାମାୟଣରେ ରାଜା ଦଶରଥଙ୍କ ଚାରି ପୁଅ ରାମ, ଲକ୍ଷ୍ମଣ, ଭରତ ଏବଂ ଶତ୍ରୁଘ୍ନଙ୍କ ବିଷୟରେ ଉଲ୍ଲେଖ କରାଯାଇଛି । ହେଲେ ତାଙ୍କ ଝିଅଙ୍କ ବିଷୟରେ ଉଲ୍ଲେକ କରାଯାଇନାହିଁ ।
ପ୍ରକୃତ କଥା ହେଉଛି ପ୍ରଭୁ ରାମଚନ୍ଦ୍ରଙ୍କର ଭଉଣୀ ଥିବା କଥା ବାଲ୍ମିକୀଙ୍କ ରାମାୟଣର ଉଲ୍ଲେଖ କରାଯାଇ ନାହିଁ । ଦକ୍ଷିଣ ଭାରତର ରାମାୟଣ ଅନୁଯାୟୀ ପ୍ରଭୁ ଶ୍ରୀରାମଙ୍କ ଭଉଣୀର ନାମ ଶାନ୍ତା ଥିଲା । ଶାନ୍ତା ରାଜା ଦଶରଥ ଏବଂ କୌଶଲ୍ୟାଙ୍କ ବଡ଼ ଝିଅ ଥିଲେ । ପିଲାଦିନରୁ ସେ ବେଦ ଏବଂ କାରିଗରୀ ଶିଳ୍ପରେ ପାରଙ୍ଗମ ଥିଲେ । ତେବେ, ତାଙ୍କ ପିଲାଦିନରେ ରାଜା ଦଶରଥ ଶାନ୍ତାଙ୍କୁ ଅଙ୍ଗାଦେଶର ରାଜା ରୋମପାଦଙ୍କୁ ଦେଇଥିଲେ । ଏକଦା ରାଜା ରୋମପାଦ ଏବଂ ତାଙ୍କ ପତ୍ନୀ ବାର୍ଷିଣୀ ଅଯୋଧ୍ୟାକୁ ଯାଇ ରାଜା ଦଶରଥ ଏବଂ କୌଶଲ୍ୟାଙ୍କୁ ଭେଟିଲେ। ରାଜା ରୋମପାଦ ଏବଂ ବାର୍ଷିଣୀଙ୍କର କୌଣସି ସନ୍ତାନ ନ ଥିଲେ, ତେଣୁ ସେମାନେ ରାଜା ଦଶରଥ ଏବଂ ତାଙ୍କ ପତ୍ନୀଙ୍କୁ ଶାନ୍ତାକୁ ନେବାକୁ କହିଥିଲେ। ଯେହେତୁ ଶାନ୍ତା ଜଣେ ଝିଅ ସେ ଅଯୋଧ୍ୟାର ସିଂହାସନରେ ବସି ରାଜ୍ୟର ଭାର ସମ୍ଭାଳି ପାରିବେନି, ତେଣୁ ରାଜା ଦଶରଥ ଶାନ୍ତାଙ୍କୁ ଦେବାରୁ ରାଜି ହୋଇଥିଲେ । କୌଶଲ୍ୟା ତାଙ୍କ ଭଉଣୀକୁ ନିରାଶ କରିବାକୁ ଚାହୁଁନଥିଲେ କି ଶାନ୍ତାଙ୍କୁ ପଠାଇବାକୁ ଚାହୁଁନଥିଲେ । ହେଲେ ଶେଷରେ ଶାନ୍ତା ତାଙ୍କ ସହ ଯିବାକୁ ରାଜି ହୋଇଥିଲେ । ଏବଂ ଏହିପରି ଶାନ୍ତା ଅଙ୍ଗ ଦେଶର ରାଜକୁମାରୀ ହେଲେ ।
ଶାନ୍ତାଙ୍କ ବିବାହ ସମ୍ବଦ୍ଧରେ ।
ଏକଦା ରାଜା ରୋମପାଦ ଶାନ୍ତାଙ୍କ ସହ ବାର୍ତ୍ତାଳାପରେ ବ୍ୟସ୍ତ ଥିଲେ । ସେହିସମୟରେ ଜଣେ ଗରିବ ବ୍ରାହ୍ମଣ ତାଙ୍କ ଦ୍ୱାରକୁ ଆସିଲେ ଏବଂ ବର୍ଷା ଲାଗି ହେଉଥିବା ଚାଷ ସମ୍ବନ୍ଧୀୟ ସମସ୍ୟା ତାଙ୍କ ସାମ୍ନାରେ ରଖିଥିଲେ । ହେଲେ ରାଜା ରୋମପାଦ ତାଙ୍କ କଥାକୁ ଆଦୌ ଧ୍ୟାନ ଦେଇନଥିଲେ। ଅସୁବିଧାରେ ପଡ଼ିଥିବା ବ୍ରାହ୍ମଣ କ୍ରୋଧରେ ରାଜ୍ୟ ଛାଡି ଚାଲିଗଲେ। କିନ୍ତୁ ଇନ୍ଦ୍ର ଦେବ ଗରିବ ବ୍ରାହ୍ମଣଙ୍କ ଅପମାନକୁ ସହ୍ୟ କରିପାରିନଥିଲେ । ଇନ୍ଦ୍ରଦେବଙ୍କ କ୍ରୋଧ କାରଣରୁ ଅଙ୍ଗ ଦେଶରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହାକୁ ନେଇ ରାଜା ରୋମପାଦ ଅତ୍ୟନ୍ତ ଚିନ୍ତିତ ହୋଇଥିଲେ । ଶେଷରେ ରାଜା ଋଷ୍ୟଶୃଙ୍ଗଙ୍କ ନିକଟକୁ ଯାଇ ମରୁଡ଼ି ପାଇଁ ଉପାୟ ପଚାରିଥିଲେ। ଋଷ୍ୟଶୃଙ୍ଗଙ୍କ କହିବା ଅନୁସାରେ ଆଙ୍ଗ ଦେଶରେ ବର୍ଷା ହୋଇଥିଲା ଏବଂ ଅଙ୍ଗ ଦେଶର ଭୂମି ସବୁଜିମାରେ ପରିଣତ ହୋଇଗଲା । ଏଥିରେ ସନ୍ତୁଷ୍ଟ ହୋଇ ରାଜା ରୋମପାଦ ତାଙ୍କ ପୋଷ୍ୟ କନ୍ୟା ଶାନ୍ତାଙ୍କୁ ଋଷ୍ୟଶୃଙ୍ଗଙ୍କ ସହ ବିବାହ କରାଇଥିଲେ।