fbpx

AICCର ଘୋଷଣା: ଅଜୟ ମାକେନଙ୍କୁ ରାଷ୍ଟ୍ରୀୟ ସ୍ତରରେ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ତା’ ପୂର୍ବରୁ ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ମିଜୋରାମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେନେଇ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ଓ ବିରୋଧୀ ମହାମେଣ୍ଟ ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ) ନିଜ ନିଜର ସଂଗଠନ ସଜାଡ଼ିବାରେ ବ୍ୟସ୍ତ ରହିଛନ୍ତି ।

ତେବେ ଏହା ମଧ୍ୟରେ କଂଗ୍ରେସ ଏକ ବଡ଼ ଘୋଷଣା କରିଛି । ଦଳର ବରିଷ୍ଠ ନେତା ଅଜୟ ମାକେନଙ୍କୁ ନୂଆ କୋଷାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମାକେନଙ୍କ ନିଯୁକ୍ତି ଉପରେ ମୋହର ମାରିଛନ୍ତି । ଏହି ନିଷ୍ପତ୍ତି ତ୍ୱରିତ ଭାବେ କାର୍ଯ୍ୟକାରୀ ହେବ । ଦଳର ମହାସଚିବ କେ.ସି ବେଣୁଗୋପାଳ ଏନେଇ ସୂଚନା ଦେଇଛନ୍ତି ।

ଏଆଇସିସିର ପୂର୍ବତନ କୋଷାଧ୍ୟକ୍ଷ ପବନ କୁମାର ବନସଲଙ୍କ ସ୍ଥାନରେ ଶ୍ରୀ ମାକେନ ଏହି ଦାୟିତ୍ୱ ତୁଲାଇବେ । ମାକେନଙ୍କ ନୂଆ ନିଯୁକ୍ତି ନେଇ କଂଗ୍ରେସର ଅଫିସିଆଲ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଏନେଇ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି । ଆଗକୁ ହେବାକୁ ଥିବା ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ କଂଗ୍ରେସ ପୂର୍ବ ଥର ଭଲ ପ୍ରଦର୍ଶନ କରିଥିବାରୁ ଏଥର ମଧ୍ୟ ତାହାକୁ କାଏମ୍ ରଖିବା ନେଇ ପ୍ରୟାସ କରୁଛି । ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରକୁ କଂଗ୍ରେସ ଏକ ବଡ଼ ଝଟକା ଦେବା ଲକ୍ଷ୍ୟରେ ରହିଛି ।

Get real time updates directly on you device, subscribe now.