fbpx

(video)ମହାକାଶରେ କଫିର ମଜା ଉଠାଉଛନ୍ତି ମହାକାଶଚାରୀ, ଭିଡିଓ ଦେଖି ୟୁଜର୍ସ ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ:ପୃଥିବୀ ପୃଷ୍ଠରେ ଥିବା ମାଧ୍ୟାକର୍ଷଣ ଶକ୍ତି ଲାଗି ହିଁ ଆମେ ଆଜି ଭୂମିରେ ଚାଲିପାରୁଛୁ । ସମସ୍ତ ବସ୍ତୁ ଭୂମିରେ ସ୍ଥିର ରହିପାରୁଛି । କିନ୍ତୁ ମହାକାଶରେ ସ୍ଥିତି ପୁରା ବିପରୀତ । ଲୋକଙ୍କ ସହିତ ବିଭିନ୍ନ ପ୍ରକାର ସାମଗ୍ରୀ ମଧ୍ୟ ପବନରେ ଭାସୁଥିବା ପରି ଦେଖାଯାଇଥାଏ । ବହୁ ଲୋକଙ୍କ ମନ ମଧ୍ୟରେ ମହାକାଶ ଯାତ୍ରୀଙ୍କ ଦିନଚର୍ଯ୍ୟାକୁ ନେଇ ବିଭିନ୍ନ ପ୍ରକାର ପ୍ରଶ୍ନ ଉଠିଥାଏ । ଏବେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯାହା ଦେଖି ୟୁଜର୍ସ ବେଶ୍ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।

ପ୍ରକୃତ ଘଟଣାଟି ହେଉଛି ୟୁରୋପୀୟ ମହାକାଶ ସଂସ୍ଥା ୧ ଅକ୍ଟୋବରରେ ଅନ୍ତଃରାଷ୍ଟ୍ରୀୟ କଫି ଦିବସ ପାଳନ କରିବାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ । ଭିଡିଓରେ ସାମନ୍ଥା କ୍ରିଷ୍ଟୋଫୋରେଟୀ ନାମକ ମହିଳା ମହାକାଶ ଯାତ୍ରୀ ମହାକାଶରେ କଫି ପିଉଥିବାର ନଜର ଆସୁଛନ୍ତି । ସର୍ବପ୍ରଥମେ ସେ ପ୍ୟାକଡ୍ କଫି ପ୍ୟାକେଟ୍ କୁ ନେଉଛନ୍ତି । ତାହାକୁ ଏକ ବୋତଲରେ ଢାଳୁଛନ୍ତି ଓ ପିଇବାକୁ ଚେଷ୍ଟା କରୁଛନ୍ତି । କଫି ପ୍ୟାକେଟକୁ ପାଇପ୍ ମାଧ୍ୟମରେ ବୋତଲରେ ଢାଳୁଛନ୍ତି ଏହାପରେ ସେ ତାହା ପିଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏହା ପିଇବା ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ । ଶୂନ୍ୟରେ ପହଁରିବା ଗୁଣ କାରଣରୁ ବୋତଲରେ ବନ୍ଦ କଫି ବାହାରକୁ ଆସିପାରୁ ନାହିଁ ।

ଏଥିରେ ଅସଫଳ ହେବା ପରେ ମହାକାଶଯାତ୍ରୀ ଆଉ ଏକ ପ୍ରୟୋଗ କରିଛନ୍ତି । ଏହାପରେ ସେ ବିଶେଷ ରୂପରେ ଡିଜାଇନ୍ କରାଯାଇଥିବା ମାସ୍କ ଆକାରର ଏକ ପ୍ଲାଷ୍ଟିକ କପ୍ ନେଇଛନ୍ତି ଓ ସେଥିରେ କଫି ଢାଳିଛନ୍ତି । ଏହାପରେ ତାଙ୍କୁ କଫି ପିଇବା ସହଜ ହୋଇଯାଇଛି ।
ମହାକାଶରେ କଫି ପିଇବାକୁ ନେଇ ପ୍ରସ୍ତୁତ ଭିଡିଓଟି ଏବେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ୟୁଜର୍ସ ଲେଖିଛନ୍ତି, ‘ମହାକାଶରେ ଗରମ ଗରମ କଫି…..ସୁପର’ । ବହୁ ୟୁଜର ବିଭିନ୍ନ ପ୍ରକାର ଇମୋଜୀ ସହ କମେଣ୍ଟ ଦେଇଛନ୍ତି । ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ୨.୫ ଲକ୍ଷରୁ ଅଧିକ ଭ୍ୟୁଜ୍ ମିଳିସାରିଲାଣି ।

Get real time updates directly on you device, subscribe now.