fbpx

Big Breaking… ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ପାଇଁ ନୂଆ ନିୟମ: ନୂଆବର୍ଷରୁ ମାନିବାକୁ ହେବ ‘ପୋଷାକ’ କଟକଣା

ପୁରୀ: ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ପାଇଁ ନୂଆ ନିୟମ ଲାଗୁ କରାଯାଇଛି । ଏଣିକି ମନ୍ଦିର ଭିତରକୁ ଯିବା ପୂର୍ବରୁ ଭକ୍ତଙ୍କ ପୋଷାକ ଉପରେ ଦିଆଯିବ ଧ୍ୟାନ । ଶ୍ରୀମନ୍ଦିରକୁ ଆସୁଥିବା ସମସ୍ତ ଭକ୍ତ ଶାଳୀନତା ପୋଷାକ ପିନ୍ଧିଥିଲେ ହିଁ ମନ୍ଦିର ଭିତରକୁ ଯିବା ପାଇଁ ସେମାନଙ୍କୁ ଅନୁମତି ମିଳିପାରିବ । ଚିରା-ଫଟା କିମ୍ବା ଛୋଟ ଡ୍ରେସ ପିନ୍ଧିଥିଲେ କୌଣସି ଭକ୍ତଙ୍କୁ ମନ୍ଦିର ଭିତରକୁ ଯିବାର ଅନୁମତି ଦିଆଯାଇ ପାରିବ ନାହିଁ । ଆସନ୍ତା ନୂଆବର୍ଷରୁ ଭକ୍ତମାନଙ୍କ ପାଇଁ ଏହି ‘ପୋଷାକ’ କଟକଣା ଲାଗୁ କରାଯିବ । ଏହାସହିତ ଏହି ନିୟମକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ଏହି ନିୟମ ନେଇ ଆସନ୍ତାକାଲିଠାରୁ ଭକ୍ତମାନଙ୍କୁ ସଚେତନ କରାଯିବ । ତେବେ ଏହାର ତଦନ୍ତ ଦାୟିତ୍ୱ ଜେଟିପି ଏବଂ ପ୍ରତିହାରୀ ସେବକଙ୍କ ଉପରେ ନ୍ୟସ୍ତ କରାଯାଇଛି ।

ଶ୍ରୀମନ୍ଦିର କ’ଣ ପିନ୍ଧି ପ୍ରବେଶ କରିପାରିବେ?

ତେବେ ମନ୍ଦିର ଭିତରକୁ ଯିବା ପାଇଁ କେଉଁ ବୟସର ବ୍ୟକ୍ତି କେଉଁ ପ୍ରକାର ପୋଷାକ ପିନ୍ଧିପାରିବେ, ସେ ନେଇ ସୂଚନା ଦେଇଛି ମନ୍ଦିର ପରିଚାଳନା କମିଟି । କୌଣସି ଭକ୍ତ ବା ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ଯିବା ପାଇଁ ଚିରା-ଫଟା ଇତ୍ୟାଦି ପ୍ୟାଣ୍ଟ ବା ପୋଷାକ ପିନ୍ଧିଥିଲେ ମନ୍ଦିର ଯିବା ପାଇଁ ଅନୁମତି ପାଇପାରିବେ ନାହିଁ । ସେହିପରି ହାଫ୍ ପ୍ୟାଣ୍ଟ ପିନ୍ଧିଥିବା ଭକ୍ତମାନଙ୍କୁ ମଧ୍ୟ ଶ୍ରୀମନ୍ଦିରକୁ ପ୍ରବେଶ ନିଷେଧ । ତେବେ ୧୨ ବର୍ଷର ପିଲାମାନଙ୍କ ପାଇଁ ହାଫ୍ ପ୍ୟାଣ୍ଟ ପିନ୍ଧି ଭିତରକୁ ଯିବାର ଅନୁମତି ଦିଆଯିବ । ସେହିପରି ଭକ୍ତମାନେ ହାତକଟା ପୋଷାକ ପିନ୍ଧି ମଧ୍ୟ ମନ୍ଦିର ଭିତରକୁ ଯାଇ ପାରିବେ ନାହିଁ । ଏହିଭଳି ପୋଷାକ ପିନ୍ଧିଥିଲେ ଭକ୍ତମାନଙ୍କୁ ମନ୍ଦିର ଯିବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ନେଇଛି ମନ୍ଦିର ପରିଚାଳନା କମିଟି ।

Get real time updates directly on you device, subscribe now.