fbpx

ନିର୍ବାଚନକୁ ସ୍ୱଚ୍ଛ କରିବାକୁ କଠୋର ହୋଇଛନ୍ତି ନିର୍ବାଚନ ଆୟୋଗ , ପ୍ରାର୍ଥୀଙ୍କ ପ୍ରତି ଖର୍ଚ୍ଚର ଜାରି କଲେ ରେଟ୍ ଲିଷ୍ଟ

ନୂଆଦିଲ୍ଲୀ: ରାଜସ୍ଥାନ ସହିତ ୫ ଗୋଟି ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଲାଗି ରାଜନୈତିକ ଦଳ ପ୍ରଚାର ଅଭିଯାନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ନିର୍ବାଚନ ଆୟୋଗ ବି ନିର୍ବାଚନକୁ ସ୍ୱଚ୍ଛ କରିବା ଲାଗି ପୁରା ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ନିର୍ବାଚନ ଆୟୋଗ ପକ୍ଷରୁ ପ୍ରାର୍ଥୀ ଓ ରାଜନୈତିକ ଦଳଙ୍କୁ ନେଇ ବହୁ ବଡ ନିଷ୍ପତ୍ତି ନିଆଯାଇଛି । ନିର୍ବାଚନ ଆୟୋଗ ଏଥର ପ୍ରାର୍ଥୀଙ୍କ ଦ୍ୱାରା କରାଯିବାକୁ ଥିବା ଖର୍ଚ୍ଚର ରେଟ୍ ଲିଷ୍ଟ ପ୍ରସ୍ତୁତ କରିଛନ୍ତି । ଏହି ଲିଷ୍ଟରେ ନିର୍ବାଚନ ପ୍ରଚାର ସମୟରେ ଚା’, କଫି, ସମୋସା, ରସଗୁଲା, ଆଇସକ୍ରିମ୍ ସହିତ ପ୍ରତ୍ୟେକ ସାମଗ୍ରୀର ରେଟ୍ ଧାର୍ଯ୍ୟ କରାଯାଇଛି । ଏହି ସମସ୍ତ ଖର୍ଚ୍ଚ ପ୍ରାର୍ଥୀଙ୍କ ଖାତାରେ ହିଁ ଯୋଡା ଯିବ ।

ନିର୍ବାଚନ ଆୟୋଗ ପ୍ରଚାର ସାମଗ୍ରୀ ଓ ସଭାରେ ଆବଶ୍ୟକ ପଡୁଥିବା ସାମଗ୍ରୀର ମଧ୍ୟ ଦର ଧାର୍ଯ୍ୟ କରିଛନ୍ତି । ଆୟୋଗ ଏହାର ରେଟ୍ ଲିଷ୍ଟ ଅନୁସାରେ ହିଁ ପ୍ରାର୍ଥୀଙ୍କ ଖର୍ଚ୍ଚର ଆକଳନ କରିବେ । ନିର୍ବାଚନ ସମୟରେ ପ୍ରାର୍ଥୀ ନିଜର ପ୍ରଚାର ପ୍ରସାର ସମୟରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦେଇଥାନ୍ତି । ଏବେ ଆଉ ଏହା ସମ୍ଭବ ହୋଇପାରିବ ନାହିଁ । କାରଣ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରାର୍ଥୀଙ୍କ ସମସ୍ତ ଖର୍ଚ୍ଚ ଉପରେ ନଜର ରଖାଯିବ ।

ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପ୍ରତ୍ୟେକ ପ୍ରାର୍ଥୀଙ୍କ ଖର୍ଚ୍ଚର ମନିଟରିଂ କରାଯିବାର ବ୍ୟବସ୍ଥା କରାଯିବ । ଏହାସହିତ ନିର୍ବାଚନରେ ଆବଶ୍ୟକ ପଡୁଥିବା ସାମଗ୍ରୀଗୁଡିକର ମଧ୍ୟ ରେଟ୍ ଲିଷ୍ଟ ପ୍ରସ୍ତୁତ କରାଯାଇଛି । ଏହି ରେଟ୍ ଲିଷ୍ଟ ଅନୁସାରେ ନିର୍ବାଚନ ସଭା ଓ କାର୍ଯ୍ୟକ୍ରମରେ ଆବଶ୍ୟକ ପଡୁଥିବା ସାମଗ୍ରୀର ମୂଲ୍ୟ ବି ଧାର୍ଯ୍ୟ କରାଯାଇଛି । ଏହାବ୍ୟତିତ ନିବାର୍ଚନ ସଭାରେ ଖାଦ୍ୟସାମଗ୍ରୀ ଉପରେ ବି ନିର୍ବାଚନ ଆୟୋଗର ନଜର ରହିବ । ପାଣି, ଥଣ୍ଡା ପାନୀୟ, ଚା’ ଇତ୍ୟାଦିର ମଧ୍ୟ ରେଟ୍ ଧାର୍ଯ୍ୟ କରିବ ନିର୍ବାଚନ ଆୟୋଗ । ପ୍ରତିଦିନ କାର୍‌୍ ଓ ମିନିବସ୍ ପାଇଁ ପ୍ରାର୍ଥୀ କେତେ ଖର୍ଚ୍ଚ କରିବ ତାହାର ସୀମା ମଧ୍ୟ ଧାର୍ଯ୍ୟ କରିବ ନିର୍ବାଚନ ଆୟୋଗ ।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ପ୍ରାର୍ଥୀ ପ୍ରଚାର ସମୟରେ କରାଯାଇଥିବା ଖର୍ଚ୍ଚର ହିସାବ ନିର୍ବାଚନ ଆୟୋଗକୁ ଦେବା ଅନିବାର୍ଯ୍ୟ ଅନ୍ୟଥା ପ୍ରାର୍ଥୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ ।

Get real time updates directly on you device, subscribe now.