ଭାରତ-ପାକିସ୍ତାନ ସେମି ଲଢ଼େଇ ହୋଇପାରେ: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ: ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି ଚଳିତ ବିଶ୍ୱକପର ସ୍ଥିତି । ବର୍ତ୍ତମାନ ସୁଦ୍ଧା ୩୦ଟି ମ୍ୟାଚ ଖେଳାଯାଇ ସାରିଥିବା ବେଳେ ଆଉ ୧୫ଟି ମ୍ୟାଚ ଖେଳାଯିବାକୁ ବାକି ରହିଛି । ସେମିଫାଇନାଲ ଖେଳିବାକୁ ୪ଟି ଟିମ୍ ଯୋଗ୍ୟତା ଅର୍ଜନ କରିବେ । ତେବେ ଭାରତ ୧୨ ପଏଣ୍ଟ ଓ ଦକ୍ଷିଣ ଆଫ୍ରିକା ୧୦ ପଏଣ୍ଟ ପାଇ ନିଜ ନିଜର ସେମି ସ୍ଥାନ ଏକପ୍ରକାର ସୁରକ୍ଷିତ କରି ସାରିଥିବା ବେଳେ ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ୮ଟି ଟିମ୍ ମଧ୍ୟରେ ଜୋରଦାର ମୁକାବିଲା ହେବ ।

ତେବେ ଏଭଳି ସ୍ଥିତିରେ ପୁଣି ଥରେ ଭାରତ-ପାକିସ୍ତାନ ସେମିଫାଇନାଲରେ ମୁହାଁମୁହିଁ ହେବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ । ଭାରତ ଟେବୁଲ ଟପରେ ରହି ନିଜର ସେମି ସ୍ଥାନ ଏକପ୍ରକାର ସୁରକ୍ଷିତ କରି ସାରିଥିବା ବେଳେ ପାକିସ୍ତାନ ଏହି ରେସରେ ରହିବାକୁ ସଂଘର୍ଷ କରୁଛି । ପାକିସ୍ତାନ ୬ଟି ମ୍ୟାଚରୁ ୨ଟି ବିଜୟ ହାସଲ କରି ୪ ପଏଣ୍ଟ ହାସଲ କରିଛି । ପରବର୍ତ୍ତୀ ୩ଟି ମ୍ୟାଚରେ ଯଦି ପାକିସ୍ତାନ ବଡ଼ ବ୍ୟବଧାନରେ ବିଜୟ ହାସଲ କରେ, ତେବେ ତା’ର ପଏଣ୍ଟ ୧୦ରେ ପହଞ୍ଚିଯିବ । ସେହିଭଳି ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଯଦି ପରାଜୟ ବରଣ କରନ୍ତି, ତେବେ ଏଭଳି ସ୍ଥିତିରେ ପାକିସ୍ତାନ ସେମି ଖେଳିବାର ସମ୍ଭାବନା ନିଶ୍ଚିତ ଭାବେ ବଢ଼ିଯିବ । ଏପରି ସ୍ଥିତିରେ ପୁଣି ଥରେ ଦର୍ଶକମାନେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ ଦେଖିବାକୁ ସୁଯୋଗ ପାଇ ପାରନ୍ତି । ମାତ୍ର ଏହା ଘଟିବା ନିଶ୍ଚିତ ଭାବେ କଷ୍ଟକର ବ୍ୟାପାର ହୋଇଥିଲେ ହେଁ ଅସମ୍ଭବ ନୁହେଁ ।

ଅନ୍ୟପକ୍ଷରେ ବାଂଲାଦେଶ ଓ ଇଂଲଣ୍ଡ ଗୋଟିଏ ଲେଖାଏଁ ମ୍ୟାଚ ଜିତି ୨ ପଏଣ୍ଟ ଲେଖାଏଁ ପାଇଥିବା ବେଳେ ସେମାନେ ଅବିଶିଷ୍ଟ ୩ଟି ମ୍ୟାଚରେ ଜିତିଲେ ବି ସେମିରେ ପହଞ୍ଚିବା କଷ୍ଟକର ହୋଇପଡ଼ିବ । କାରଣ ଯଦି ଏହି ଦୁଇ ଦଳ ବାକିଥିବା ସମସ୍ତ ମ୍ୟାଚ ଜିତନ୍ତି ତେବେ ସେମାନଙ୍କର ମୋଟ ପଏଣ୍ଟ ୮ରେ ପହଞ୍ଚିବ । ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ୮ ପଏଣ୍ଟ ଲେଖାଏଁ ପାଇଥିବା ବେଳେ ଆଫଗାନିସ୍ତାନ ୬, ଶ୍ରୀଲଙ୍କା, ପାକିସ୍ତାନ ଓ ନେଦରଲାଣ୍ଡସ ୪ ପଏଣ୍ଟ ଲେଖାଏଁ ପାଇଛନ୍ତି । ଏପରି ସ୍ଥିତିରେ ସେମିରେ ପହଞ୍ଚିବାକୁ ହେଲେ କିଛି ଦଳକୁ ଅନ୍ୟ ଟିମର ବିଜୟ ଉପରେ ନିର୍ଭର କରିବାକୁ ପଡ଼ିବ ।

ତୃତୀୟ ଓ ଚତୁର୍ଥ ସ୍ଥାନ ହାସଲ କରିବା ପାଇଁ ୮ଟି ଟିମର ଭାଗ୍ୟ ଏବେ ଝୁଲି ରହିଛି । ଚଳିତ ବିଶ୍ୱକପରେ ୫ଟି ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଛୋଟ ଟିମମାନେ ନିଜର କରାମତି ଦେଖାଇଛନ୍ତି । ତେଣୁ କେଉଁ ଦଳ କାହାକୁ ହରାଇବ ତାହା ଆକଳନ କରିବା ନିଶ୍ଚିତ ଭାବେ କଷ୍ଟକର । ଇଂଲଣ୍ଡ, ପାକିସ୍ତାନ ଓ ଶ୍ରୀଲଙ୍କା ପରି ପୂର୍ବ ବିଶ୍ୱ ଚାମ୍ପିୟନ ଟିମକୁ ହରାଇ ନିଜର ଦମ୍ ଦେଖାଇଛି ଆଫଗାନିସ୍ତାନୀ ଭଳି ଏକ ଛୋଟ ଦଳ । ସେହିପରି ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶକୁ ହରାଇଛି ନେଦରଲାଣ୍ଡସ ।