ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ ସିଜିନ୍ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ ତା’ର ଖେଳାଳିଙ୍କ ତାଲିକା ପ୍ରକାଶ କରିଛି । ସେଥିମଧ୍ୟରୁ ୮ ଜଣ ଖେଳାଳିଙ୍କୁ ମୁକ୍ତ କରିଛି ସିଏସ୍କେ ଏବଂ ପରବର୍ତ୍ତୀ ସିଜନ୍ ପାଇଁ ୧୮ ଜଣଙ୍କୁ ତାଲିକାରେ ରଖିଛି । ଏହି ତାଲିକାରୁ ସ୍ପଷ୍ଟ ହୋଇଛି ଯେ କ୍ୟାପଟେନ କୁଲ୍ ମହେନ୍ଦ୍ର ସିଂ ଧୋନୀ ଆଇପିଏଲ୍ ୨୦୨୪ ଖେଳିବେ କି ନାହିଁ । ତେବେ ଚେନ୍ନାଇ ସୁପର କିଙ୍ଗ୍ ଆଇପିଏଲ୍ ୨୦୨୪ ପାଇଁ ମହେନ୍ଦ୍ର ସିଂ ଧୋନୀଙ୍କୁ ଲିଷ୍ଟରେ ରଖିଛି । ଏହାର ଅର୍ଥ ଧୋନୀ ୨୦୨୪ ଆଇପିଏଲ୍ ଖେଳିବେ । ଏହା ପୂର୍ବରୁ କୁହାଯାଉଥିଲା କି ଧୋନୀ ୨୦୨୩ ଆଇପିଏଲ୍ ଶେଷଥର ପାଇଁ ଖେଳିଛନ୍ତି । ହେଲେ ଏକଥା ବର୍ତ୍ତମାନ ଭୁଲ ପ୍ରମାଣିତ ହୋଇଛି, ଯାହାକୁ ନେଇ କ୍ରିକେଟ ପ୍ରେମୀଙ୍କ ମନରେ ବେଶ ଉତ୍ସାହ ଦେଖାଦେଇଛି।
ସୂଚନା ଥାଉକି, ୨୦୨୩ରେ ଧୋନୀ ଯେଉଁଠାକୁ ବି ମ୍ୟାଚ୍ ଖେଳିବାକୁ ଯାଇଥିଲେ ତାଙ୍କ ଖେଳ ଦେଖିବା ପାଇଁ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥିଲା। ସେହିପରି ୨୦୨୪ ଆଇପିଏଲରେ ବି ଧୋନୀଙ୍କ ଖେଳ ଦେଖିବାକୁ ପ୍ରବଳ ଭିଡ଼ ହେବ ବୋଲି କୁହାଯାଉଛି। ଅନ୍ୟପଟେ ୩୨ ବର୍ଷିୟ ଷ୍ଟାର ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ ଆଇପିଏଲ୍ ୨୦୨୪ରୁ ନିଜ ନାଁ ଫେରାଇ ନେଇଛନ୍ତି । ସେ ବିଶ୍ୱକପ୍ ଖେଳିବା ପାଇଁ ଏଭଳି ପଦକ୍ଷେପ ନେଇଥିଲେ। ସେ ଆଇପିଏଲ୍ ପୂର୍ବରୁ ୫ଟି ଟେଷ୍ଟ ମ୍ୟାଚ୍ ସିରିଜ୍ ଖେଳିବେ । ଏହା ସହିତ ୨୦୨୪ରେ ଟି-୨୦ବିଶ୍ୱକପ ବି ରହିଛି । ଯାହାକୁ ନେଇ ବେନ୍ ଷ୍ଟୋକ୍ ଏହିଭଳି ପଦକ୍ଷେପ ନେଇଛନ୍ତି। ତେବେ ଚେନ୍ନାଇ ସୁପର କିଙ୍ଗ୍ ତାଲିକାରେ ମହେନ୍ଦ୍ର ସିଂ ଧୋନୀ, ଋତୁରାଜ ଗାୟକ୍ୱାର୍ଡ, ଡେବେନ୍ କାନୱେ, ଦୀପକ ଚହର, ତୁଷାର ଦେଶପାଣ୍ଡେ, ମହେଶ ତିକ୍ଷାନା, ସିମରନ୍ଜିତ୍ ସିଂହ, ମଥିଶ ପଥିରାନା, ପ୍ରଶାନ୍ତ ସେଲକି, ମିଚେଲ ସେଟନର, ରାଜବର୍ଦ୍ଧନ ହଁଗରଗେକର, ରବିନ୍ଦ୍ର ଜାଡେଜା, ମଇନ୍ ଅଲି, ଶିବମ ଦୁବେ, ଅଜିଜ୍ଞ ରାହାଣେ, ନିଶାନ୍ତ ସିଦ୍ଧୁ, ଶେଖ ରସିଦ୍, ଅଜୟ ମଣ୍ଡଳ ରହିଛନ୍ତି।
ସୂଚନା ଯୋଗ୍ୟ, ଆଇପିଏଲ ପାଇଁ ନିଲାମୀ ଆସନ୍ତା ଡିସେମ୍ବର ୧୯ ତାରିଖରେ ହେବ । ତେଣୁ ଏହା ପୂର୍ବରୁ ସମସ୍ତ ୧୦ ଫ୍ରାଞ୍ଚାଇଜ୍ ଟିମ ଖେଳାଳି ରିଟେନ ଏବଂ ରିଲିଜ କରିଛନ୍ତି। ତେବେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଆଇପିଏଲରେ ସାମିଲ ଥିବା ଶୁଭ୍ରାଂଶୁ ସେନାପତିଙ୍କୁ ଛାଡିଛି ଚେନ୍ନାଇ ସୁପର କିଙ୍ଗସ୍। ଗତ ଦୁଇ ବର୍ଷ ହେବ ଚେନ୍ନାଇ ସୁପର କିଙ୍ଗସ୍ରେ ସ୍ଥାନ ପାଇଥିଲେ ଶୁଭ୍ରାଂଶୁ ସେନାପତି। କିନ୍ତୁ ଚଳିତ ଆଇପିଏଲ ସିଜିନ୍ ଆରମ୍ଭ ପୂର୍ବରୁ ଶୁଭ୍ରାଂଶୁ ସେନାପତିଙ୍କୁ ଦଳରୁ ରିଲିଜ୍ କରିଛି ସିଏସ୍କେ। ଶୁଭ୍ରାଂଶୁ ସେନାପତିଙ୍କ ସହ ଚେନ୍ନାଇ ସୁପର କିଙ୍ଗସ୍ ମୋଟ୍ ୮ ଜଣ ଖେଳାଳିଙ୍କୁ ଚଳିତ ସିଜିନ୍ ପୁର୍ବରୁ ରିଲିଜ୍ କରିଛି ।