fbpx

ଜନ୍ମମାଟିକୁ ଫେରିଲେ ଓଡ଼ିଆ ଶ୍ରମିକ: ମୃତ୍ୟୁମୁଖରୁ ବିଜୟୀ ହୋଇ ଫେରିବାର ଖୁସି ସତରେ ନିଆରା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ସିଲକ୍ୟାରା ସୁଡ଼ଙ୍ଗରେ ଦୀର୍ଘ ୧୭ ଦିନ ଧରି ଫଶି ରହିବା ପରେ ଗତ ମାସ ୨୮ ତାରିଖରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ ୪୧ ଜଣ ଶ୍ରମିକ । ଏହି ୧୭ ଦିନ ପର୍ଯ୍ୟନ୍ତ ଶ୍ରମିକମାନେ ମୁଢ଼ି ଖାଇ, ବିନା ସୂର୍ଯ୍ୟାଲୋକରେ ଯେ କେମିତି କାଟିଥିଲେ ତାହା ଶୁଣିବା ବେଳକୁ ଦେହରେ ସତେ ଯେମିତି ଶିହରଣ ଖେଳିଯାଏ । ଏହି ଶ୍ରମିକଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ଶ୍ରମିକ ରହିଥିଲେ ।

ସୁଡ଼ଙ୍ଗରୁ ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ପରେ ସେମାନଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ତେବେ ଏହା ମଧ୍ୟରେ ୫ ଜଣ ଓଡ଼ିଆ ଶ୍ରମିକ ନିଜ ଜନ୍ମମାଟିକୁ ଫେରିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ୪ ଜଣ ଶ୍ରମିକ ପହଞ୍ଚିଥିବା ବେଳେ ଅନ୍ୟ ଜଣେ ଶ୍ରମିକ ତପନ ମଣ୍ଡଳ ପରେ ତାଙ୍କ ଭାଇଙ୍କ ସହ ଆସିବେ ବୋଲି ଜଣାପଡ଼ିଛି ।

ସିଲକ୍ୟାରା ସୁଡ଼ଙ୍ଗ ଭିତରେ ଓଡ଼ିଶାର ୫ ଜଣ ଶ୍ରମିକ ଫଶି ରହିଥିଲେ । ସେମାନଙ୍କ ମଧ୍ୟରେ ବାରିପଦାର ବିଶ୍ୱେଶ୍ୱର ନାୟକ, କୁଲଡିହାର ରାଜୁ ନାୟକ, ବଡ଼କୁଦର ଧୀରେନ ନାୟକ, ଝରିଗାଁର ଭଗବାନ ଭତ୍ରା, ଶଙ୍କର୍ଷଣପୁରର ତପନ ମଣ୍ଡଳ ରହିଥିଲେ । ଗତ ମାସ ୧୨ ତାରିଖରେ ଭୂସ୍ଖଳନ କାରଣରୁ ଅଚାନକ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିଥିଲା । ଫଳରେ ସେଠାରେ କାର୍ଯ୍ୟରତ ୪୧ ଜଣ ଶ୍ରମିକ ସୁଡ଼ଙ୍ଗ ଭିତରେ ଫଶି ରହିଥିଲେ । ଏହାପରେ ଏନଡିଆରଏଫ ଟିମ, ଉଦ୍ଧାରକାରୀ ଦଳ, ଆମେରିକାର ଆଗନର ମେଶିନ, ରାଟ ହୋଲ ମାଇନର୍ସଙ୍କ ସହୟତା ନିଆଯାଇଥିଲା । ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ ଅନେକ ଥର ମେଶିନ ଭାଙ୍ଗିଯିବା ସହିତ ବହୁ ବାଧା ସୃଷ୍ଟି ହୋଇଥିଲା । ବହୁ ସଂଘର୍ଷ ପରେ ଶେଷରେ ସମସ୍ତ ଶ୍ରମିକଙ୍କୁ ନୂଆ ଜୀବନ ମିଳିଥିଲା ।

Get real time updates directly on you device, subscribe now.