fbpx

ବିଜେପି ସପକ୍ଷରେ ନିର୍ବାଚନ ଫଳାଫଳ, କାଲି ସେୟାର ବଜାରରେ ସ୍ଥିତିକୁ ନେଇ କ’ଣ କହୁଛି ଇତିହାସ

ନୂଆଦିଲ୍ଲୀ: ଚଳିତ ବିଧାନସଭା ନିର୍ବାଚନ ପରିଣାମ ଭାରତୀୟ ଜନତା ପାର୍ଟି (ବିଜେପି) ସପକ୍ଷରେ ଯାଇଛି । ୪ ରାଜ୍ୟର ପରିଣାମରେ କଂଗ୍ରେସ ହାତରେ କେବଳ ଗୋଟିଏ ରାଜ୍ୟ (ତେଲେଙ୍ଗାନା) ହିଁ ଲାଗିଛି । ବାକି ୩ ରାଜ୍ୟରେ ବିଜେପିକୁ ପୂର୍ଣ୍ଣ ବହୁମତ ମିଳିଛି । ଏହି ୩ ରାଜ୍ୟରେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଗୋଟିଏ ସରକାର ହିଁ ରହିବ । ତେଣୁ ଏହି ନିର୍ବାଚନ ଫଳାଫଳକୁ ୨୦୨୪ରେ ହେବାକୁ ଯାଉଥିବା ଲୋକସଭା ନିର୍ବାଚନର ସେମିଫାଇନାଲ ବୋଲି କୁହାଯାଉଛି । ରାଜନୀତି କ୍ଷେତ୍ରରେ ପରିବର୍ତ୍ତନର ପ୍ରଭାବ ସେୟାର ବଜାର ଉପରେ ସବୁ ସମୟରେ ଦେଖିବାକୁ ମିଳିଥାଏ ଓ ଏଥର ବି ସେଇଆ ହିଁ ହେବ ।
ତେବେ ବିଜେପିର ଏହି ବିଜୟର ପ୍ରଭାବରେ କାଲି ସେୟାର ବଜାର ଉପରକୁ ଯିବ କି ସ୍ଥିର ରହିବ ? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ସ୍ଥିରତା ହିସାବରୁ ସଂକେତ ମିଳୁଛି କି ସେୟାର ବଜାର ତଳକୁ ଖସିବ ନାହିଁ । ଯଦି ଇତିହାସ ଉପରେ ନଜର ପକାଯାଏ ତେବେ ମିଶ୍ରିତ ପରିଣାମ ଦେଖିବାକୁ ମିଳିବ ବୋଲି କୁହାଯାଉଛି ।

ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା, ରାଜସ୍ଥାନ ଓ ମିଜୋରାମରେ ୨୦୧୮ରେ ନିର୍ବାଚନ ହୋଇଥିଲା ଓ ୧୧ ଡିସେମ୍ବରରେ ଫଳାଫଳ ସାମ୍ନାକୁ ଆସିଥିଲା । ଏହି ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଭଲ ରହିଥିଲା । କଂଗ୍ରେସ ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବହୁମତରେ ଆସି ସରକାର ଗଢିଥିଲଶ । ତେଲେଙ୍ଗାନାରେ ବିଆରଏସ୍ ଓ ମିଜୋରାମରେ ଏମଏନଏଫ୍ ସରକାର ଗଢିଥିଲେ । ଯେହେତୁ ଏହି ୫ ରାଜ୍ୟର ନିର୍ବାଚନକୁ ୨୦୧୯ ନିର୍ବାଚନର ସେମିଫାଇନାଲ ଭାବରେ ଦେଖାଯାଉଥିଲା ତେଣୁ ସେତେବେଳେ ସେନସେକ୍ସରେ ପ୍ରଥମେ ପ୍ରାୟ ୫୦୦ଅଙ୍କ ହ୍ରାସ ପରିଲକ୍ଷିତ ହୋଇଥିଲା । କିନ୍ତୁ ଶେଷରେ ଏହା ୧୯୦ ଅଙ୍କ ଉପରକୁ ଉଠି ୩୫,୧୫୦ରେ ବନ୍ଦ ହୋଇଥିଲା ।

ସେହିପରି ୨୦୧୩ରେ ୩ ବଡ ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବିଜେପି ସରକାର ଗଢିଥିଲା । କିନ୍ତୁ ଦିଲ୍ଲୀରେ ଦଳକୁ ବହୁମତ ମିଳି ନ ଥିଲା । ୧୫ ବର୍ଷ ପରେ କଂଗ୍ରେସ କ୍ଷମତାରୁ ବାହାରି ଯାଇଥିଲା । ଫଳାଫଳ ଘୋଷଣାର ପରବର୍ତ୍ତୀ ଦିନ ଅର୍ଥାତ୍ ସୋମବାର ସେୟାର ବଜାରରେ ବେଶ୍ ଭଲ କାରବାର ଦେଖିବାକୁ ମିଳିଥିଲା । ସେନସେକ୍ସ ୩୨୯.୮୯ ଅଙ୍କ ବୃଦ୍ଧି ପାଇ ୨୧,୩୨୬,୪୨ରେ ବନ୍ଦ ହୋଇଥିଲା ।

ତେବେ କାଲି ସେୟାର ବଜାର ଉପରେ କ’ଣ ପ୍ରଭାବ ରହିବ ତାହାର ସଠିକ୍ ଭବିଷ୍ୟବାଣୀ କରାଯାଇ ନ ପାରିଲେ ବି ବହୁମତ ସହ ଗଠନ ହେବାକୁ ଯାଉଥିବା ରାଜ୍ୟ ସରକାରଙ୍କ ସ୍ଥିତିକୁ ଦେଖି ସେୟାର ବଜାର ନିଶ୍ଚୟ ଭଲ କାରବାର କରିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.