ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ: ଭାରତର ୫୭ ପ୍ରତିଶତ ମୃତ୍ୟୁ ଘଟଣା ପାଇଁ ସିଗାରେଟ୍ ଦାୟୀ

ନୂଆଦିଲ୍ଲୀ: ଦିନକୁ ଦିନ ଭାରତ ବିକାଶ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଖୁବଶୀଘ୍ର ଦେଶର ଅର୍ଥନୀତି ୫ ଟ୍ରିଲିୟନ ଡଲାର ଛୁଇଁବ ବୋଲି କୁହାଯାଉଛି । ତେବେ ଗୋଟିଏ ପଟେ ଦେଶର ଅର୍ଥନୀତି ଆଗକୁ ବଢ଼ୁଥିବା ବେଳେ ଅନ୍ୟପଟେ ସମାନ ବେଗରେ ସିଗାରେଟ ଅର୍ଥନୀତି ମଧ୍ୟ ଉପରମୁହାଁ ହେବାରେ ଲାଗିଛି । ବିଶ୍ୱରେ ସିଗାରେଟ କାରଣରୁ ହେଉଥିବା ମୃତ୍ୟୁହାରକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଏକ ରିପୋର୍ଟ ଆସିଛି ।

ହୁ ରିପୋର୍ଟ ମୁତାବକ, ଭାରତରେ ଘଟୁଥିବା ସମୁଦାୟର ମୃତ୍ୟୁର ୫୭ ପ୍ରତିଶତ ମୃତ୍ୟୁ ଘଟଣା ପାଇଁ ସିଗାରେଟ୍ ଦାୟୀ । ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୧.୦୪ ପ୍ରତିଶତ ଭାରତ ସରକାର ଲୋକଙ୍କର ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରିବା ସହିତ ତମାଖୁ ସେବନକୁ ରୋକିବା ପାଇଁ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ତେବେ ସିଗାରେଟ ଅର୍ଥନେତୁ ହେତୁ ଜିଡିପି ଉପରେ ଖର୍ଚ୍ଚ ମଧ୍ୟ ସମାନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଦେଶର ୩୫ରୁ ୬୯ ବର୍ଷର ଲୋକମାନେ ଏହି ରୋଗରେ ଶିକାର ହେଉଥିବା ଦେଖାଯାଉଛି ।

ସେହିପରି ଦେଶର କର୍କଟ ରୋଗର ମୋଟ ୨୭ ପ୍ରତିଶତ ଘଟଣା ପାଇଁ ମଧ୍ୟ ସିଗାରେଟ୍ ଦାୟୀ ବୋଲି ରିପୋର୍ଟରେ କୁହାଯାଇଛି । ସିଗାରେଟ ବ୍ୟବହାର କ୍ଷେତ୍ରରେ ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ ଉତ୍ପାଦକ ଓ ଦ୍ୱିତୀୟ ବୃହତ ଉପଭୋକ୍ତା । ଏପରିକି ଦେଶରେ ଉତ୍ପାଦନ କରାଯାଉଥିବା ସିଗାରେଟ ଚାହିଦା ପୂରଣ କରିପାରୁ ନଥିବାରୁ ଅନ୍ୟ ଦେଶରୁ ଏହାକୁ ଆମଦାନୀ କରାଯାଇଥାଏ । ପେଟ୍ରୋଲ, ଡିଜେଲ ଓ ଇସ୍ପାତ ପରେ କେନ୍ଦ୍ର ସରକାର ସିଗାରେଟରୁ ସର୍ବାଧିକ ଟିକସ ପାଉଛନ୍ତି । ସିଗାରେଟ ଉପରେ ଟିକସ ବୃଦ୍ଧି କରିବାକୁ ଚଳିତ ୨୦୨୩-୨୪ ଆର୍ଥିକ ବର୍ଷରେ ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ ।