fbpx

ଗର୍ଭଧାରଣ କରିପାରୁ ନ ଥିବା ମହିଳାମାନଙ୍କୁ ଗର୍ଭବତୀ କରିବା ନାମରେ ଲୁଟୁଥିଲେ ମୋଟା ଅଙ୍କର ଟଙ୍କା, ୮ ଜଣ ଗିରଫ

ପାଟନା: ବିହାରର ନୱାଦାରେ ଏକ ଆଶ୍ଚର୍ଯ୍ୟଜନକ ଠକେଇ ମାମଲାକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି। ଏହି ଘଟଣା ସମ୍ପର୍କରେ ଜାଣିଲେ ଆପଣ ତାଜୁବ ହୋଇଯିବେ ଯେ, ଏଭଳି ବି ଆଜିକାଲି ଠକେଇ ହେଉଛି । ତେବେ ସେଠାରେ ଥିବା ସାଇବର ପୋଲିସ ଷ୍ଟେସନ ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି। ସ୍ୱାମୀଙ୍କ ଦ୍ୱାରା ଗର୍ଭଧାରଣ କରିପାରୁ ନ ଥିବା ମହିଳାମାନଙ୍କୁ ଗର୍ଭବତୀ କରିବା ନାମରେ ଏହି ଗ୍ୟାଙ୍ଗ ମୋଟା ଅଙ୍କର ଟଙ୍କା ନେଇ ପ୍ରତାରଣା କରୁଥିଲେ।

ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ମହିଳାଙ୍କ ଫଟୋ ଅନଲାଇନରେ ଉପଲବ୍ଧ କରାଉଥିଲେ। ଏହା ପରେ ସେମାନଙ୍କର ଫଟୋ ଏବଂ ଅନ୍ୟାନ୍ୟ ବିବରଣୀ ଦେଉଥିଲେ। ଯଦି ସମ୍ପୃକ୍ତ ମହିଳା ଗର୍ଭବତୀ ହୁଅନ୍ତି ତେବେ ଠକମାନେ ୧୩ ଲକ୍ଷ ଟଙ୍କା ପୁରଷ୍କାର ଦେବାକୁ କହୁଥିଲେ। ଅପରପକ୍ଷରେ ମହିଳାଙ୍କୁ ଗର୍ଭବତୀ କରାଇବାରେ ବିଫଳ ହେଲେ ତାଙ୍କୁ ୫ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦିଆଯାଉଥିଲା। ଏହି ଗ୍ୟାଙ୍ଗ୍‌ ଚଳାଉଥିବା ସଂସ୍ଥାର ନାଁ ‘ଅଲ୍‌ ଇଣ୍ଡିଆ ପ୍ରେଗ୍‌ନାଣ୍ଟ୍‌ ଜବ୍‌ ଏଜେନ୍‌ସି’। ଏହି ସଂସ୍ଥାରେ ପଞ୍ଜୀକରଣ ଫିସ୍‌ ବାବଦକୁ ଲୋକମାନଙ୍କ ଠାରୁ ଠକମାନେ ୭୯୯ ଟଙ୍କା ନେଉଥିଲେ। ଏହା ପରେ, ସୁରକ୍ଷା ଫି ନାମରେ ସେମାନେ ୫ ହଜାରରୁ ୨୦ ହଜାର ଟଙ୍କା ନେଇଥାନ୍ତି। ବର୍ତ୍ତମାନ ସୁଦ୍ଧା ସେମାନେ ପ୍ରତାରଣା କରିଥିବା ଲୋକଙ୍କ ସଂଖ୍ୟା ଏପର୍ୟ୍ୟନ୍ତ ଜଣାପଡିନାହିଁ। କିନ୍ତୁ ସେମାନେ ଅନେକ ଲୋକଙ୍କ ଠାରୁ ବିପୁଳ ଟଙ୍କା ଲୁଟି ନେଇଥିବା ଜଣାପଡିଛି।

ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗରେ ସମୁଦାୟ ୨୫-୩୦ ଠକ ସମ୍ପୃକ୍ତ ଥିଲେ। ଚଢ଼ାଉ ସମୟରେ ପୋଲିସ ୯ ଟି ମୋବାଇଲ, ପ୍ରିଣ୍ଟର୍‌ ଏବଂ ବହୁ ମହିଳାଙ୍କ ତଥ୍ୟ ଜବତ କରିଛି। ଏହା ସହ ଏହି ମାମଲାରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗ୍ୟାଙ୍ଗର ମୁଖ୍ୟ ମୁନ୍ନାଙ୍କ ସମେତ ଦୁଇ ଡଜନରୁ ଅଧିକ ଅଭିଯୁକ୍ତ ଫେରାର ଅଛନ୍ତି। ଏନେଇ ଏବେ ଅଧିକ ତଦନ୍ତ ଜାରି ରହିଛି।

 

Get real time updates directly on you device, subscribe now.