fbpx

କ୍ରିକେଟରେ ଓଡ଼ିଶା ପଛରେ କାହିଁକି: ବଡ଼ ଦୁଃଖର ବିଷୟ….ଟେଷ୍ଟ, ଦିନିକିଆ, ଟି-୨୦ରେ ଜଣେ ବି ଓଡ଼ିଆ ଖେଳାଳି ନାହାନ୍ତି, କାରଣ କ’ଣ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ହକି, ଫୁଟବଲ, ଅଲଟିମେଟ ଖୋ-ଖୋ ଆଦି ବିଭିନ୍ନ ଖେଳର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହିତ ଖେଳାଳିଙ୍କୁ ମଧ୍ୟ ଅଜସ୍ର ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି । ତେବେ ସବୁଠାରୁ ଦୁଃଖର କଥା ହେଉଛି ଦେଶରେ ସର୍ବାଧିକ ଲୋକପ୍ରିୟ କ୍ରିକେଟ ଖେଳରେ ଆଜି ଓଡ଼ିଶା ବହୁ ପଛରେ ରହିଛି । ଟେଷ୍ଟ, ଦିନିକିଆ ଓ ଟି-୨୦ ଫର୍ମାଟରେ ଜଣେ ହେଲେ ବି ଓଡ଼ିଆ ଖେଳାଳି ନାହାନ୍ତି । ଏହା ନିଶ୍ଚିତ ଭାବେ ରାଜ୍ୟ ପାଇଁ ଏକ ଦୁଃଖର କଥା ।

ରାଜ୍ୟର ପ୍ରଥମ କ୍ରିକେଟର ଭାବେ ଦେବାଶିଷ ମହାନ୍ତି ୧୯୯୯ ମସିହା ବିଶ୍ୱକପରେ ସ୍ଥାନ ପାଇଁ ରାଜ୍ୟକୁ ଗୌରବାନ୍ୱିତ କରିଥିଲେ । ପରବର୍ତ୍ତୀ ସମୟରେ ଶିବସୁନ୍ଦର ଦାସ କିଛି ଅନ୍ତର୍ଜାତୀୟ ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ । ଓଡ଼ିଆ ଖେଳାଳି ପ୍ରଜ୍ଞାନ ଓଝା ଆଇପିଏଲରେ ହାଇଦ୍ରାବାଦ ତରଫରୁ ଖେଳିଥିଲେ । ଗତ ୨୦୨୨ରେ ଶୁଭ୍ରାଂଶୁ ସେନାପତିଙ୍କୁ ଆଇପିଏଲ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗସ ୨୦ ଲକ୍ଷ ଟଙ୍କାରେ କିଣିଥିବା ବେଳେ ଆଗାମୀ ସିଜିନ୍ ପୂର୍ବରୁ ତାଙ୍କୁ ରିଲିଜ୍ କରିଦେଇଛି ।

ତେବେ ଟିଭି ପରଦାରେ ବିଭିନ୍ନ ଅନ୍ତର୍ଜାତୀୟ ମ୍ୟାଚ ସମୟରେ ଓଡ଼ିଆ ଖେଳାଳିଙ୍କୁ ନ ଦେଖିବା ରାଜ୍ୟର ସମସ୍ତ କ୍ରୀଡ଼ାପ୍ରେମୀଙ୍କ ମନରେ ଉଦାସ ଭରିଦେଇଥାଏ । ଦେବାଶିଷଙ୍କ ପରେ ଆଉ କେହି ଓଡ଼ିଆ ଖେଳାଳି ଜାତୀୟ ସ୍ତରରେ ରାଜ୍ୟ ପାଇଁ ସୁନାମ ଆଣିପାରିବେନି? ଆଉ କେତେବର୍ଷ ଓଡ଼ିଆ କ୍ରୀଡ଼ାପ୍ରେମୀଙ୍କୁ ଏପରି ଅପେକ୍ଷା କରିବାକୁ ପଡ଼ିବ? ରାଜ୍ୟର ଅନେକ ପ୍ରତିଭା ବିଭିନ୍ନ କ୍ଷେତ୍ରରେ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ବେଳେ କ୍ରିକେଟରେ କାହିଁକି ପଛରେ ରହିବେ? ଏହାକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ । ରାଜ୍ୟର ଖେଳାଳିମାନେ ଜାତୀୟ ସ୍ତରରେ ସ୍ଥାନ ପାଇଲେ ତାହା ପରବର୍ତ୍ତୀ ପୀଢ଼ିଙ୍କୁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ ।

Get real time updates directly on you device, subscribe now.