fbpx

ଭାରତ ପାଇଁ ଖୁସି ଖବର: ବାସୁମତି ହେଲା ବିଶ୍ୱର ଶ୍ରେଷ୍ଠ ଚାଉଳ

ନୂଆଦିଲ୍ଲୀ: ଗତ କିଛିଦିନ ହେବ ବିଶ୍ୱର ସବୁ କ୍ଷେତ୍ରରେ ଭାରତ ଶ୍ରେଷ୍ଠ ମାନ୍ୟତା ପାଇବାରେ ଲାଗିଛି। ଖେଳ ଠାରୁ ଆରମ୍ଭ କରି ବିଜ୍ଞାନ ଓ କୃଷି କ୍ଷେତ୍ରରେ ଭାରତ ତାହାର ନୂଆ ରେକର୍ଡ କରୁଛି। ତେବେ ଭାରତ ପାଇଁ ପୁଣି ଆଉ ଏକ ଖୁସି ଖବର ଆସିଛି। ଏବେ ଭାରତୀୟ ବାସୁମତି ଚାଉଳକୁ ବିଶ୍ୱର ଶ୍ରେଷ୍ଠ ଚାଉଳ ମାନ୍ୟତା ମିଳିଛି। ଫଳରେ କୃଷି ଓ ବାଣିଜ୍ୟ କ୍ଷେତ୍ରରେ ଉତ୍ସାହର ମାହୋଲ ଦେଖାଦେଇଛି। ଲୋକପ୍ରିୟ ଖାଦ୍ୟ ବିଶ୍ଳେଷଣକାରୀ ସଂସ୍ଥା ‘ଟେଷ୍ଟ ଆଟ୍‌ଲାସ୍’ ପକ୍ଷରୁ ବର୍ଷ ୨୦୨୩-୨୪ ପାଇଁ ବାସୁମତି ଚାଉଳକୁ ବିଶ୍ୱର ସର୍ବୋତ୍ତମ ଚାଉଳ ମାନ୍ୟତା ପ୍ରଦାନ କରାଯାଇଛି।

ସୂଚନା ଥାଉକି, ନିକଟରେ ଏହି ସଂସ୍ଥା ବିଶ୍ୱର ୧୦୦ ଶ୍ରେଷ୍ଠ ବ୍ୟଞ୍ଜନ ତାଲିକାରେ ଭାରତକୁ ୧୧ ତମ ସ୍ଥାନରେ ରଖିଥିଲା। ଏବେ ଭାରତର ବାସୁମତି ଚାଉଳକୁ ‘ଟେଷ୍ଟ ଆଟ୍‌ଲାସ୍’ ଦୁନିଆର ସବୁଠାରୁ ଭଲ ଚାଉଳ ବୋଲି ପ୍ରକାଶ କରିଛି। ତେବେ ଭାରତରେ ୩୪ ପ୍ରକାରର ବାସୁମତି ଚାଉଳ ଉତ୍ପାଦନ କରାଯାଇଥାଏ। ଏଥିରେ ବାସୁମତି ୨୧୭, ବାସମତି ୩୭୦, ଟାଇପି-୩(ଡେରାଡୁନୀ ବାସୁମତି), କସ୍ତୁରି, ହରିୟାଣା ବାସୁମତି ୧, ପଞ୍ଜାବ ବାସୁମତି୧(ବଉନୀ ବାସୁମତି), ପୁସା ବାସୁମତି୧, ତରୌରି ବାସୁମତି(ଏଚ୍‌ବିସି ୧୯/ କର୍ଣ୍ଣାଲ ଲୋକାଲ), ରଣବୀର ବାସୁମତି, ମାହି ସୁଗନ୍ଧା, ବାସୁମତି ୨୮୬ ଆଦି ରହିଛି। ଏହି ସୁଗନ୍ଧିତ ବାସୁମତି ଚାଉଳ ଶତାବ୍ଦୀ ଧରି ଭାରତୀୟ ଉପମହାଦେଶୀୟ ହିମାଳୟ ପାଦଦେଶର ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳରେ ଉତ୍ପାଦନ ହୋଇ ଆସୁଛି। ଏହି ଚାଉଳର ସ୍ୱତନ୍ତ୍ରତା ହେଉଛି ସ୍ୱାଦ ଓ ସୁଗନ୍ଧ । ଭାରତ ସମେତ ପାକିସ୍ତାନରେ ମଧ୍ୟ ଏହି ଚାଉଳ ଉତ୍ପାଦନ କରାଯାଉଛି। କିନ୍ତୁ ଭାରତ ହେଉଛି ବିଶ୍ୱର ସବୁଠାରୁ ସର୍ବାଧିକ ବାସୁମତି ଚାଉଳ ରପ୍ତାନକାରୀ ରାଷ୍ଟ୍ର। ଭାରତରୁ ସାଉଦି ଆରବ, ୟୁନାଇଟେଡ୍ ଆରବ ଏମିରାଟ୍, ଇରାନ, ଇରାକ ଏବଂ ୟେମେନ୍‌ ରିପବ୍ଲିକ୍‌ ଭଳି ଦେଶକୁ ଏହି ଚାଉଳ ରପ୍ତାନୀ କରାଯାଉଛି।

 

Get real time updates directly on you device, subscribe now.