fbpx

କି ବୁଦ୍ଧି ତୁମର! ଗାର୍ଲଫ୍ରେଣ୍ଡଙ୍କ ପାଇଁ ଝିଅ ବେଶରେ ପରୀକ୍ଷା ଦେଉଥିଲେ ପ୍ରେମିକ: ହୃଦୟ କହିଲା ପାସ୍-ଦୁନିଆ କହିଲା ଫେଲ୍, ଠିକଣା ଏବେ ଜେଲ୍ କୋଠରୀ

ନୂଆଦିଲ୍ଲୀ: ଆଜିକାଲିର ଦୁନିଆରେ ପ୍ରେମକୁ ନେଇ ଅନେକ ଅଜବ ଧରଣର ଘଟଣା ସବୁ ସାମ୍ନାକୁ ଆସୁଛି । ତେବେ ଏହା ମଧ୍ୟରେ ଜଣେ ପ୍ରେମିକଙ୍କ କାରନାମାକୁ ନେଇ ଏବେ ସବୁଠି ବେଶ୍ ଚର୍ଚ୍ଚା । ଜଣେ ପ୍ରେମିକ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ପାଇଁ ଝିଅ ବେଶ ଧାରଣ କରିବାକୁ ବି ପଛାଇ ନଥିଲେ । କେବଳ ଏତିକି ନୁହେଁ ଯୁବକ ଜଣଙ୍କ ସାଲୱର ଶୁଟ, ବିନ୍ଦି, ଚୁଡ଼ି, ଲିପଷ୍ଟିକ୍ ପିନ୍ଧି ପରୀକ୍ଷା ଦେଇଥିଲେ । ମାତ୍ର ଦୁଃଖର କଥା ଧରାପଡ଼ିବା ଫଳରେ ପ୍ରେମିକ ଜଣଙ୍କ ଗିରଫ ହୋଇଛନ୍ତି ।

ସୂଚନା ମୁତାବକ, ପଞ୍ଜାବର ଫରୀଦକୋଟ ଜିଲ୍ଲାରୁ ଆସିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର । ପ୍ରେମିକାଙ୍କୁ ପାସ୍ କରାଇବା ପାଇଁ ଯୁବକ ଜଣଙ୍କ ଝିଅ ବେଶ ଧାରଣ କରି ପରୀକ୍ଷା ହଲରେ ପହଞ୍ଚି ଯାଇଥିଲେ । ସବୁଠାରୁ ବଡ଼ କଥା ହେଉଛି ବାବୁଙ୍କୁ କେହି ବି ଚିହ୍ନି ପାରିନଥିଲେ । ମାତ୍ର ଫିଙ୍ଗର ପ୍ରିଣ୍ଟ ମ୍ୟାଚ ନହେବାରୁ ପ୍ରକୃତ ସତ୍ୟ ପଦାକୁ ଆସିଥିଲେ । ଫରୀଦ ୟୁନିଭରସିଟି ଅଫ୍ ହେଲଥ ସାଇନ୍ସେସ ପକ୍ଷରୁ କୋଟକପୁରାର ଡିଏଭି ପବ୍ଲିକ ସ୍କୁଲରେ ସ୍ୱାସ୍ଥ୍ୟ କାର୍ଯ୍ୟକର୍ତ୍ତା ପରୀକ୍ଷା ଚାଲିଥିଲା ।

ପ୍ରକୃତରେ ଏହି ପରୀକ୍ଷା ପରମଜୀତ କୌର ଦେବାର ଥିଲା । ମାତ୍ର ତାଙ୍କ ବଦଳରେ ପ୍ରେମିକ ଅଂଗ୍ରେଜ ସିଂହ ପରୀକ୍ଷା ଦେବାକୁ ଯାଇଥିଲେ । ସେଥିପାଇଁ ସେ ନିଜର ମୁହଁ ଓ ଶରୀରକୁ ପରମଜୀତଙ୍କ ଭଳି ଅବିକଳ ସଜେଇ ହୋଇଥିଲେ । ଧରାପଡ଼ିବା ପରେ ଯୁବକଙ୍କ ବିରୋଧରେ ଅଭିଯୋଗ ଦାୟର କରାଯିବା ସହିତ ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ତେବେ ପ୍ରେମିକାଙ୍କୁ ଖୁସି କରିବା ପାଇଁ ପ୍ରେମିକ ଯେଉଁ ଦୁଃସାହସିକ ବଳିଦାନ ଦେଲେ ତାହା ଭାବିବା ବେଳକୁ ଯେତିକି ଆଶ୍ଚର୍ଯ୍ୟ ଲାଗେ ସେତିକି ହାସ୍ୟାତ୍ମକ ମଧ୍ୟ ଲାଗେ । ପ୍ରେମିକ ଜଣଙ୍କ ପ୍ରେମ ପରୀକ୍ଷାରେ ପାସ୍ ହୋଇଯାଇଥିଲେ ହେଁ ବାସ୍ତବ ଦୁନିଆରେ କିନ୍ତୁ ଆଇନ ଆଗରେ ଫେଲ୍ ହୋଇ ଏବେ ଜେଲ କୋଠରୀକୁ ଯାଇଛନ୍ତି । ତେବେ ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଗତ ବର୍ଷ ଅକ୍ଟୋବର ମାସରେ ଜୟପୁରରେ କିଛି ପୁରୁଷ ପରୀକ୍ଷାର୍ଥୀଙ୍କ ପାଇଁ ୨ ଜଣ ମହିଳା ପରୀକ୍ଷା ଦେଉଥିବା ସମୟରେ ଧରାପଡ଼ି ଗିରଫ ହୋଇଥିଲେ ।

Get real time updates directly on you device, subscribe now.