fbpx

ରାହୁଲ ଗାନ୍ଧୀଙ୍କ ଅଭିଯୋଗ : କହିଲେ -‘ଅଯୋଧ୍ୟାରେ ୨୨ ଜାନୁଆରୀ କାର୍ଯ୍ୟକ୍ରମ ରାଜନୈତିକ ଓ ପ୍ରଧାନମନ୍ତ୍ରୀଙ୍କ ଉପରେ କେନ୍ଦ୍ରିତ ‘

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଙ୍ଗଳବାର ଅଭିଯୋଗ କରିଛନ୍ତି ଯେ ଅଯୋଧ୍ୟାରେ ରାମ ଲଲାଙ୍କ ଜାନୁଆରୀ ୨୨ ‘ପ୍ରାଣ ପ୍ରତିଷ୍ଠା’ କାର୍ଯ୍ୟକ୍ରମ ଏକ ରାଜନୈତିକ ଘଟଣାରେ ପରିଣତ ହୋଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆରଏସଏସ ଉପରେ ଏହା କେନ୍ଦ୍ରିତ ହୋଇଛି । ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ ଏହା ମଧ୍ୟ କହିଛନ୍ତି ଯେ, ବିରୋଧୀ ଗଠବନ୍ଧନ ‘ଇଣ୍ଡିଆ’ର ସ୍ଥିତି ବହୁତ ଭଲ ଏବଂ ଏହା ଏଥର ଲୋକସଭା ନିର୍ବାଚନରେ ଭାରତୀୟ ଜନତା ଦଳକୁ ପରାସ୍ତ କରିବ ।

ରାମ ଲଲା ପ୍ରାଣ ପ୍ରତିଷ୍ଠା ସମାରୋହ ଉପରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଏହା ଏକ ରାଜନୈତିକ କାର୍ଯ୍ୟକ୍ରମରେ ପରିଣତ ହୋଇଛି । ଏପରିକି ହିନ୍ଦୁ ଧର୍ମର ପ୍ରତିଷ୍ଠିତ ବ୍ୟକ୍ତି (ଶଙ୍କରାଚାର୍ଯ୍ୟ) କହିଛନ୍ତି ଯେ, ଏହା ଏକ ଧାର୍ମିକ କାର୍ଯ୍ୟକ୍ରମ ନୁହେଁ । କଂଗ୍ରେସ ନେତା କହିଛନ୍ତି ଯେ, ଏହି କାରଣରୁ କଂଗ୍ରେସର ବିଶିଷ୍ଟ ନେତାମାନେ ଏହି ନିମନ୍ତ୍ରଣକୁ ଅସ୍ୱୀକାର କରିଛନ୍ତି । ରାହୁଲ ଗାନ୍ଧୀ ଏହା ମଧ୍ୟ କହିଛନ୍ତି ଯେ, କଂଗ୍ରେସ ଦଳର ଯେକୌଣସି ବ୍ୟକ୍ତି ଦର୍ଶନ କରିବାକୁ ଚାହୁଁଛନ୍ତି, ସେମାନେ ଯାଇପାରନ୍ତି ।

ତେବେ ରାହୁଲ ଗାନ୍ଧୀ ବର୍ତ୍ତମାନ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ର ଅଂଶ ଭାବରେ ନାଗାଲାଣ୍ଡରେ ଅଛନ୍ତି । ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’୧୦୦ ଲୋକସଭା ନିର୍ବାଚନମଣ୍ଡଳୀ ଦେଇ ଗତି କରିବ । ଏହି ଯାତ୍ରା ସମୟରେ ୬,୭୧୩ କିଲୋମିଟର ଦୂରତା ଅତିକ୍ରମ କରାଯିବା ନେଇ ସ୍ଥିର କରାଯାଇଛି । ଅଧିକାଂଶ ଯାତ୍ରା ବସ୍ ଯୋଗେ ହେବ, କିନ୍ତୁ କେତେକ ସ୍ଥାନରେ ପଦଯାତ୍ରା ହେବ । ଏହି ଯାତ୍ରା ମହାରାଷ୍ଟ୍ରର ମୁମ୍ବାଇରେ ଶେଷ ହେବ ।

Get real time updates directly on you device, subscribe now.