fbpx

ଟିମ ଇଣ୍ଡିଆର ପାକିସ୍ତାନ ଗସ୍ତକୁ ସରକାରଙ୍କ ମଞ୍ଜୁରୀ: ୬୦ ବର୍ଷ ଭିତରେ ପ୍ରଥମ ଥର ହେବ ଏମିତି

ନୂଆଦିଲ୍ଲୀ: ଏଥର ପାକିସ୍ତାନ ଗସ୍ତ କରିବ ଭାରତୀୟ ଦଳ । ୬୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ପାକିସ୍ତାନକୁ ଯାଇ ସେଠାରେ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ଭାରତ ସରକାର ପାକିସ୍ତାନ ଗସ୍ତ ପାଇଁ ଟିମ ଇଣ୍ଡିଆକୁ ଅନୁମତି ଦେଇଛନ୍ତି । ପ୍ରାୟ ୬୦ ବର୍ଷ ପରେ ଭାରତୀୟ ଦଳ ପାକିସ୍ତାନ ଯାଇ ସେଠାରେ କୌଣସି ଏକ ମ୍ୟାଚ ବା ସିରିଜ ଖେଳିବାକୁ ଯାଉଛି । ସେଥିପାଇଁ ପାକିସ୍ତାନ ଉଚ୍ଚ ଆୟୋଗ ଭାରତୀୟ ଖେଳାଳିଙ୍କ ସହ ସପୋର୍ଟ ଷ୍ଟାଫମାନଙ୍କ ପାଇଁ ମଧ୍ୟ ଭିସା ଜାରି କରିସାରିଛି । ତେବେ ଭାରତ-ପାକିସ୍ତାନ ଡେଭିସ କପରେ ୱାର୍ଲଡ ଗ୍ରୁପ-୧ ମ୍ୟାଚ ଫେବୃଆରୀ ୩ ଏବଂ ୪ ତାରିଖରେ ଇସଲାମାବାଦରେ ଖେଳାଯିବ ।

ଅନ୍ତରାଷ୍ଟ୍ରୀୟ ଟେନିସ ମହାସଂଘ(ଆଇଟିଏଫ) ଏହି ମ୍ୟାଚକୁ କୌଣସି ତୃତୀୟ ଦେଶକୁ ସ୍ଥାନାନ୍ତରିତ କରିବା ପାଇଁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି । ଏହାପରେ ଅଖିଳ ଭାରତୀୟ ଟେନିସ ସଂଘ ପାକିସ୍ତାନ ଯାତ୍ରା ପାଇଁ ଭାରତ ସରକାରଙ୍କ ତରଫରୁ ମଞ୍ଜୁରୀ ପାଇଁ ନିବେଦନ କରିଥିଲେ । ତେବେ ଯଦି ଭାରତ ଏହି ପାକିସ୍ତାନ ଗସ୍ତରେ ଯାଇ ନଥାନ୍ତା, ତେବେ ଆଇଟିଏଫ ପାକସ୍ତାନକୁ ୱାକଓଭର ଦେଇପାରିଥାନ୍ତା ।

ଭାରତୀୟ ଡେଭିସ କପ୍ ଟିମ ଶେଷ ଥର ପାଇଁ ୧୯୬୪ ମସିହାରେ ପାକିସ୍ତାନ ଗସ୍ତ କରିଥିଲା । ଏହି ସିଜନରେ ପାକିସ୍ତାନକୁ ୪-୦ରେ ମାତ୍ ଦେଇ ବିଜୟୀ ହୋଇଥିଲା ଟିମ ଇଣ୍ଡିଆ । ସେହିପରି ୨୦୧୯ ମସିହାରେ ରାଜନୈତିକ ତିକ୍ତତା କାରଣ ଦର୍ଶାଇ ଉଭୟ ଦଳ ମଧ୍ୟରେ ଖେଳାଯିବାକୁ ଥିବା ଡେଭିସ କପ ମ୍ୟାଚ କଜାକିସ୍ତାନକୁ ସ୍ଥାନାନ୍ତରିତ କରାଯାଇଥିଲା ।

Get real time updates directly on you device, subscribe now.