fbpx

ICCର ବଡ଼ ନିଷ୍ପତ୍ତି: ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଉପରୁ ହଟିଲା ନିଲମ୍ବନ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଏକ ନିଷ୍ପତ୍ତି ନିଆଯାଇଛି । ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଉପରୁ ନିଲମ୍ବନ ହଟାଯାଇଛି । ଆଇସିସି ପକ୍ଷରୁ ଏନେଇ ଏକ ବୟାନ ଜାରି କରାଯାଇଛି । ଗତବର୍ଷ ନଭେମ୍ବର ମାସରେ ଭାରତରେ ଆୟୋଜିତ ହୋଇଥିବା ଦିନିକିଆ କ୍ରିକେଟ ବିଶ୍ୱକପ ସମୟରେ ଆଇସିସି ଶ୍ରୀଲଙ୍କା କ୍ରିକେଟ ବୋର୍ଡର ସଦସ୍ୟତା ସସପେଣ୍ଡ କରିଥିଲା ।

ଆଇସିସିର ଏହି ନିଷ୍ପତ୍ତି ଶ୍ରୀଲଙ୍କା କ୍ରିକେଟ ପାଇଁ ଏକ ବଡ଼ ଖୁସି ଖବର । ଶ୍ରୀଲଙ୍କା ଉପରେ ବ୍ୟାନ ଲାଗିବା କାରଣରୁ ପୁରୁଷ ଅଣ୍ଡର-୧୯ ବିଶ୍ୱକପକୁ ଶ୍ରୀଲଙ୍କାକୁ ଉଠାଇ ଦକ୍ଷିଣ ଆଫ୍ରିକାକୁ ନିଆଯାଇଥିଲା । ନିଲମ୍ବନ ବିରୋଧରେ ଗତ ନଭେମ୍ବର ମାସରେ ଶ୍ରୀଲଙ୍କା ଅପିଲ କରିଥିଲା । ଚଳିତ ମାସରେ ଆଇସିସି ସିଇଓ ଶ୍ରୀଲଙ୍କା ରାଷ୍ଟ୍ରପତି ଓ କ୍ରୀଡ଼ା ମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିଲେ । ଏହାପରେ ନିଲମ୍ବନ ହଟିବା ଆଶା ବଢ଼ିଥିଲା ।

ଶ୍ରୀଲଙ୍କା ଉପରୁ ବ୍ୟାନ ହଟିବା ନେଇ ଆଇସିସି ଏକ ବୟାନ ଜାରି କରି ଘୋଷଣା କରିଛି । ଆଇସିସିର ଏକ ସଦସ୍ୟ ଥାଇ ମଧ୍ୟ ଶ୍ରୀଲଙ୍କା ନିଜ କର୍ତ୍ତବ୍ୟରେ ଉଲ୍ଲଂଘନ କରିଥିଲା । ତେଣୁ ଗତ ନଭେମ୍ବର ମାସରେ ଶ୍ରୀଲଙ୍କା କ୍ରିକେଟକୁ ସସପେଣ୍ଡ କରାଯାଇଥିଲା । ମାତ୍ର ଶ୍ରୀଲଙ୍କା ତା’ର ଦାୟିତ୍ୱ ଠିକ୍ ଭାବେ ସମ୍ପାଦନ କରୁଥିବା ହୃଦବୋଧ ହୋଇଥିବାରୁ ଏବେ ନିଲମ୍ବନ ହଟାଇ ନିଆଯାଇଛି ବୋଲି ଆଇସିସି ପକ୍ଷରୁ କୁହାଯାଇଛି । ଗତ ବିଶ୍ୱକପରେ ଭାରତ ବିପକ୍ଷରେ ଶ୍ରୀଲଙ୍କା ମାତ୍ର ୫୫ ରନରେ ଅଲଆଉଟ୍ ହେବା ପରେ ଶ୍ରୀଲଙ୍କାର କ୍ରୀଡ଼ାମନ୍ତ୍ରୀ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ବରଖାସ୍ତ କରିଦେଇଥିଲେ, ଯାହାକି ଆଇସିସିର ନିୟମ ବିରୋଧୀ ଥିଲା । ପରେ ଆଇସିସି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

Get real time updates directly on you device, subscribe now.