fbpx

ପ୍ରଥମ ବିଶ୍ବ ଓଡ଼ିଆ ସମ୍ମିଳନୀ ଉଦଘାଟିତ; ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଆ ଭାଷାର ପ୍ରଚାର, ସଂରକ୍ଷଣ ଓ ପ୍ରସାର ପାଇଁ ଆଜିଠୁ ଆରମ୍ଭ ହେଲା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ରାଜଧାନୀର ଜନତା ମଇଦାନରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହୋଇଛି ଆୟୋଜନ। ଯୋଗଦେଇଛନ୍ତି ରାଜ୍ୟର ବହୁ ଭାଷାବିତ୍‌ ଓ ଭାଷା ଗବେଷକ । ଓଡ଼ିଆ ଭାଷା କିପରି ଆଗକୁ ବଢ଼ିପାରିବ ଓ ଆଧୁନିକ ଜ୍ଞାନକୌଶଳକୁ ପ୍ରୟୋଗ କରି ଭାଷା କିପରି ଆଗକୁ ବଢ଼ି ପାରିବ ସେନେଇ ରହିଛି ଲକ୍ଷ୍ୟ।

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ। “କବି ସାରଳା ଦାସ ଓ ଓଡ଼ିଆ ଭାଷାର ସବୁ ଲେଖକ, କବିଙ୍କୁ ସମ୍ମାନ। ସାରା ଓଡ଼ିଶା ଆଜି ଭାଷା ପାଇଁ ଏକାଠି ହୋଇଛି। ଦେଶ ବିଦେଶର ଓଡ଼ିଆ ଆଜି ଅନଲାଇନରେ ଯୋଡ଼ି ହୋଇଛନ୍ତି। ବିଶିଷ୍ଟ ଲେଖକ, କବି, ଗବେଷକ ଆଜି ଆମ ସହ ଅଛନ୍ତି। ଓଡ଼ିଆ ଭାଷା ଏକ ଶାସ୍ତ୍ରୀୟ ଭାଷା, ନୂଆ ନୂଆ ଶବ୍ଦ ଯୋଡ଼ି ହେଉଛି’। ଓଡ଼ିଆ ଭାଷାର ଅଧିକ ବ୍ୟବହାର ଉପରେ ଆଲୋଚନା ହେଉଛି। ଆମ ଭାଷାର ଇତିହାସ ଜାଣିବା, ଭବିଷ୍ୟତ ରାସ୍ତା ତିଆରି କରିବା। ସମସ୍ତଙ୍କୁ ଓଡ଼ିଆ ଭାଷାର ଉନ୍ନତି ପାଇଁ କାମ କରିବାକୁ ନିବେଦନ। ସମ୍ମିଳନୀରେ ଯେଉଁ ପ୍ରସ୍ତାବ ଆସିବ ସରକାର ଗ୍ରହଣ କରିବେ।”

ଓଡ଼ିଆ ଭାଷାର ବୁଦ୍ଧିଜୀବୀ, ବିଦ୍ୱାନ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ମଧ୍ୟ ଏହି ସମ୍ମିଳନୀ ଏକ ବଳିଷ୍ଠ ମାଧ୍ୟମ ସାଜିବ ବୋଲି କୁହାଯାଉଛି । ରାଜ୍ୟରେ ପ୍ରତିବର୍ଷ ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସପ୍ତାହ ପାଳନ କରାଯିବା ସହିତ ରାଜ୍ୟ ମାତୃଭାଷା ଦିବସ ପାଳନ କରାଯିବ । ମାତୃଭାଷାର ବହୁଳ ବ୍ୟବହାର ନିମନ୍ତେ ବିଭିନ୍ନ ନିଗମ ଅଫିସ, ସରକାରୀ ଅଫିସ, ଘରୋଇ ଅଫିସ, ଅନୁଷ୍ଠାନମାନଙ୍କରେ ଓଡ଼ିଆ ଭାଷା ଉପରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ।

Get real time updates directly on you device, subscribe now.