fbpx

ଏଇ ମାସରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ, ଚଣ୍ଡିଖୋଲରେ ସାଧାରଣ ସଭାକୁ କରିବେ ସମ୍ବୋଧନ!

ଓଡ଼ିଶା ଭାସ୍କର: ଆଗକୁ ୨୦୨୪ ସାଧାରଣ ନିର୍ବାଚନ ରହିଥିବା ବେଳେ ରାଜ୍ୟ ରାଜନୀତି ଏବେ ପୁରା ସରଗରମ। ଗୋଟିଏ ପଟେ ଶାସକ ବିଜେଡି ପୁଣିଥରେ କ୍ଷମତାକୁ ଆସିବା ନେଇ ଦମ୍ଭୋକ୍ତି ରଖୁଥିବା ବେଳେ ଅନ୍ୟପଟେ ସରକାର ଗଢିବା ଆଶା ରଖି ଉଭୟ ମୁଖ୍ୟ ବିରୋଧୀ ବିଜେପି ଓ କଂଗ୍ରେସ ନିଜ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। ନିକଟରେ କଂଗ୍ରେସ ପକ୍ଷରୁ ରାଷ୍ଟ୍ରୀୟ ଅଧକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ଦଳର ହାଇକମାଣ୍ଡ ରାହୁଲ ଗାନ୍ଧୀ ଓଡିଶା ଗସ୍ତ କରିଥିବା ବେଳେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଏକାଧିକ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତ କରିସାରିଛନ୍ତି । ତେବେ ଏହାରି ଭିତରେ ପୁଣିଥରେ ଏହି ମାସରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଚଳିତ ମାସ ଶେଷ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ହେବ ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବ୍ରୁଆରୀ ୨୮ ତାରିଖ ପାଖାପାଖି ଓଡ଼ିଶା ଗସ୍ତରେ ଆସି ପାରନ୍ତି । ପ୍ରଥମେ ସେ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ପରେ ଚଣ୍ଡିଖୋଲରେ ସାଧାରଣ ସଭାକୁ ସମ୍ବୋଧନ କରିବେ । ଖୁବ୍‌ଶୀଘ୍ର ଏନେଇ ଚୂଡାନ୍ତ ତାରିଖ ଧାର୍ଯ୍ୟ କରାଯିବ ବୋଲି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।

ସୂଚନା ଥାଉକି, ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବ୍ରୁଆରୀ ୩ରେ ଓଡ଼ିଶା ଗସ୍ତ କରିଥିଲେ । ଏହି ଅବସରରେ ସେ ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସ ଉଦ୍‌ଘାଟନ କରିବା ସହ ରେମେଡ ପଡ଼ିଆରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ। ତେବେ ମୋଦୀଙ୍କ ପରେ ଆହୁରି ଆଗକୁ ବିଜେପିର ବହୁ ଶୀର୍ଷ ନେତୃତ୍ୱ ଓ ପଦାଧିକାରୀ ବ୍ୟକ୍ତି ଓଡ଼ିଶା ଆସିବା ନେଇ ସୂଚନା ରହିଛି।

 

Get real time updates directly on you device, subscribe now.