ମୁମ୍ବାଇ: ଗତକାଲି ବା ଶୁକ୍ରବାର ଦିନ ‘ଆର୍ଟିକିଲ୍ ୩୭୦’ ସିନେମା ରିଲିଜ୍ ହୋଇଛି। ତେବେ ‘ଧାରା ୩୭୦’ ଉଚ୍ଛେଦ ବିଷୟବସ୍ତୁକୁ ନେଇ ନିର୍ମାଣ ହୋଇଛି ଫିଲ୍ମ ‘ଆର୍ଟିକିଲ୍ ୩୭୦’। ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପୂର୍ବର ସ୍ଥିତି, ସରକାରୀ ପ୍ରସ୍ତୁତି ଓ ଧାରା ଉଚ୍ଛେଦ ସମୟର ସବୁ ଘଟଣାବଳୀ ଏଥିରେ ସ୍ଥାନ ପାଇଛି। ଫିଲ୍ମରେ ୟାମି ଗୌତମ, ଅଜୟ ଦେବଗନ୍, ଅରୁଣ ଗୋଭିଲ୍, କିରନ୍ କର୍ମକାର, ବୈଭବ ତତ୍ୱାଡି, ପ୍ରିୟା ମାନି ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।
ତେବେ ନିର୍ଦ୍ଦେଶକ ଆଦିତ୍ୟ ସୁହାସ ଜମ୍ଭାଲେଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ‘ଆର୍ଟିକିଲ୍ ୩୭୦’କୁ ନେଇ ବର୍ତ୍ତମାନ ସବୁଆଡ଼େ ଚର୍ଚ୍ଚା ଦେଖାଦେଇଛି। ବକ୍ସ ଅଫିସରେ ଏହି ଫିଲ୍ମ ଜବରଦସ୍ତ ହିଟ୍ ହେବ ବୋଲି ଆକଳନ କରାଯାଉଛି। ଆଉ ଏହି ସମୟରେ ଫିଲ୍ମଟିର ରୋଜଗାରର ଆକଳନ ପ୍ରକାଶ ପାଇଛି। ତେବେ ଆଡ୍ଭାନ୍ସ ବୁକିଂ ହେତୁ ରିଲିଜ ହେବାର ପ୍ରଥମ ଦିନରେ ଫିଲ୍ମଟି ୬.୧୨ କୋଟି ଟଙ୍କା ରୋଜଗାର କରିଥିଲା। ସେହିପରି ଏହାର ଦ୍ୱିତୀୟ ଦିନରେ ଅର୍ଥାତ୍ ଶନିବାର ଏହି ଫିଲ ପ୍ରାୟ ୬ କୋଟି ଟଙ୍କା ରୋଜଗାର କରିଛି। ଦୁଇଦିନରେ ୧୨ କୋଟିରୁ ଅଧିକ ଟଙ୍କା ରୋଜଗାର କରିସାରିଲାଣି ଏହି ଫିଲ୍ମ। ସେପଟେ ଫିଲ୍ମର ଦୁଇଦିନର ଆୟକୁ ଦେଖି ଆକଳନ କରାଯାଉଛି ଯେ, ଏହା ଆଗାମୀ ଦିନରେ ଆହୁରି ଅଧିକ ରୋଜଗାର କରିବ।