fbpx

ସ୍ପେନିସ୍ ପର୍ଯ୍ୟଟକ ଗଣଦୁଷ୍କର୍ମ ମାମଲା; ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେଲେ ଝାଡ଼ଖଣ୍ଡ ସରକାର

ରାଞ୍ଚି: ଦୁମକା ଜିଲ୍ଲାରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ସ୍ପେନିସ୍ ମହିଳା ପର୍ଯ୍ୟଟକଙ୍କୁ ଝାଡ଼ଖଣ୍ଡ ସରକାର ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇଛନ୍ତି। ଦୁମକା ଡେପୁଟି କମିଶନର (ଡିସି) ଏ ଡୋଡେ ତାଙ୍କ ସ୍ୱାମୀଙ୍କୁ ଚେକ୍ ହସ୍ତାନ୍ତର କରିଥିଲେ। ଏହି ସମୟରେ ଏସପି ପୀତାମ୍ବର ସିଂ ଖେରୱାର ମଧ୍ୟ ଉପସ୍ଥିତ ଥିଲେ। ଡିସି ଓ ଏସପି ସର୍କିଟ ହାଉସକୁ ଯାଇ ଚେକ୍ ହସ୍ତାନ୍ତର କରିଥିଲେ। ସର୍କିଟ ହାଉସରେ ସ୍ପେନର ମହିଳା ଓ ତାଙ୍କ ସ୍ୱାମୀଙ୍କୁ ପୋଲିସ ସୁରକ୍ଷାରେ ରଖାଯାଇଛି।

ଏକ୍ସ ପୋଷ୍ଟ ଜରିଆରେ ଦୁମକା ଡିସି ଏହି ସୂଚନା ଦେଇଛନ୍ତି। ପୀଡ଼ିତା କ୍ଷତିପୂରଣ ଯୋଜନାରେ ଏହି ରାଶି ଦିଆଯାଇଛି ବୋଲି ସେ କହିଛନ୍ତି। ଝାଡ଼ଖଣ୍ଡ ରାଜ୍ୟ ଆଇନ ସେବା ପ୍ରାଧିକରଣ ଏହା ଆରମ୍ଭ କରିଥିଲା। ଦିଲ୍ଲୀସ୍ଥିତ ସ୍ପେନ୍ ଦୂତାବାସ ସୋସିଆଲ ମିଡିଆରେ ଏହି ପଦକ୍ଷେପକୁ ଧନ୍ୟବାଦ ଦେବା ସହ ଲୋକଙ୍କ ସମର୍ଥନ ପାଇଁ କୃତଜ୍ଞତା ଜ୍ଞାପନ କରିଛି।

ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ପୀଡ଼ିତା ମହିଳା କହିଛନ୍ତି, “ଆମ ସହିତ ଯାହା ଘଟିଛି ତାହା ଭୁଲ ଥିଲା କିନ୍ତୁ ଏହାର ଅର୍ଥ ନୁହେଁ ଯେ ଭାରତ କିମ୍ବା ଏହାର ଲୋକମାନେ ଖରାପ ଅଟନ୍ତି । ସବୁଠି ଭଲ ଓ ଖରାପ ଲୋକ ଅଛନ୍ତି। ପୁଲିସ ତା’ର କାମ କରୁଛି। ଆମେ ସୁରକ୍ଷିତ ଅଛୁ। ସେ ଏକ ଫଟୋ ସେୟାର କରି ଦୁଷ୍କର୍ମ ଅଭିଯୁକ୍ତଙ୍କ ବିଷୟରେ କହୁଛନ୍ତି ଏବଂ ଏହାକୁ ଲୋକଙ୍କ ସହ ସେୟାର କରିବାକୁ କୁହନ୍ତି ଯାହା ଦ୍ୱାରା ପୋଲିସ ଅଭିଯୁକ୍ତଙ୍କୁ ଧରିପାରିବ।

ଅନ୍ୟ ଏକ ଭିଡିଓରେ ସେ କହୁଛନ୍ତି, ଆମେ ଆମ କାମ ବନ୍ଦ କରିବୁ ନାହିଁ। ଆମ ସହ ଘଟିଥିବା ଦୁର୍ଘଟଣା ଯେ କୌଣସି ବ୍ୟକ୍ତିଙ୍କ ସହ ମଧ୍ୟ ହୋଇପାରେ । ଏହା ଯେକୌଣସି ସ୍ଥାନରେ ହୋଇପାରେ । ସ୍ପେନରେ ମଧ୍ୟ ଆମର ଲଗେଜ୍ ଚୋରି ହୋଇଯାଇଥିଲା। ଆମେ ଭାରତରେ ଥିବାରୁ ଏହି ଘଟଣା ଆମ ସହ ଘଟିନାହିଁ। ବ୍ରାଜିଲ ଓ ଅନ୍ୟାନ୍ୟ ଦେଶରେ ମଧ୍ୟ ଦୁଷ୍କର୍ମ ହେଉଛି।

Get real time updates directly on you device, subscribe now.