fbpx

ମେଣ୍ଟ ପାଇଁ ବିଜେଡି ନିବେଦନ କରିଥିଲା, ଆମେ ଅଗ୍ରାହ୍ୟ କଲୁ: ଅପରାଜିତା ଷଡ଼ଙ୍ଗୀ

ଓଡ଼ିଶା ଭାସ୍କର: ଦୀର୍ଘ ଦିନର ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାରେ ଆଜି ଏକ ପ୍ରକାରର ପୂର୍ଣ୍ଣଚ୍ଛେଦ ପଡିଛି। କାରଣ ଏହି ମେଣ୍ଟ ପ୍ରସଙ୍ଗକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୋସିଆଲ ମିଡ଼ିଆ ଏକ୍ସ’ରେ ସ୍ପଷ୍ଟ ସୂଚନା ରଖିଛନ୍ତି । ତେବେ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା, ଅଭିଳାଷ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଏକ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ନିମନ୍ତେ ଭାରତୀୟ ଜନତା ପାର୍ଟି (ବିଜେପି) ଏଥର ଓଡ଼ିଶାର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ। ଗତକାଲି ଦିଲ୍ଲୀରୁ ଫେରିବା ପରେ ସୋସିଆଲ ମିଡ଼ିଆରେ ‘ଏକ୍ସ’ରେ ଏଭଳି କିଛି ଲେଖିଛନ୍ତି ମନମୋହନ। ତେବେ ମନମୋହନଙ୍କ ଏହି ସୋସିଆଲ ମିଡ଼ିଆ ପୋଷ୍ଟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡ଼ିଆରେ ରିପୋଷ୍ଟ କରିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଏହି ପୋଷ୍ଟଟିକୁ ରିପୋଷ୍ଟ କରିଛନ୍ତି।

ତେବେ ରାଜ୍ୟ ସଭାପତିଙ୍କ ଉକ୍ତ ପୋଷ୍ଟକୁ ରିପୋଷ୍ଟ କରି ଅପରାଜିତା ଲେଖିଛନ୍ତି, ଏକ୍ସଲେଣ୍ଟ୍। ତା’ ସହିତ ‘ଇମେନ୍‌ସଲୀ ଗ୍ରେଟ୍‌ଫୁଲ’ ବୋଲି ଲେଖିଛନ୍ତି। ଅନ୍ୟପଟେ ଏହି ମେଣ୍ଟ ପ୍ରସଙ୍ଗକୁ ନେଇ ଅପରାଜିତା ଗଣମାଧ୍ୟମ ଆଗରେ ଏକ ବଡ଼ ବୟାନ ରଖିଛନ୍ତି। ଏହାକୁ ନେଇ ଅପରାଜିତା କହିଛନ୍ତି, ରାଜ୍ୟ ସଭାପତି ଟ୍ୱିଟ୍ କରିବା ପରେ ସବୁ ସ୍ପଷ୍ଟ ହୋଇଯାଇଛି। ବିଜେପି ରାଜ୍ୟରେ ଏକାକୀ ଲଢ଼ିବ। ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ଆସନରେ ଦଳ ପ୍ରାର୍ଥୀ ଦେବ। ଦଳର ସମସ୍ତ କାର୍ୟ୍ୟକର୍ତ୍ତାଙ୍କ ସହିତ ଓଡ଼ିଶାବାସୀ ଏହା ହିଁ ଚାହୁଁଥିଲେ। ମେଣ୍ଟ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଯେଉଁ ନିବେଦନ କରାଯାଇଥିଲା, ମୁଁ ଭାବୁଛି ଆମେ ତାକୁ ରିଜେକ୍ଟ କରିଛୁ। ତେବେ ଏହି ଅପରାଜିତାଙ୍କ ଏହି ବୟାନ ପରେ ରାଜ୍ୟ ରାଜନୀତିରେ ଅନେକ ଚର୍ଚ୍ଚା ଦେଖାଦେଇଛି। ବିଜେଡି-ବିଜେପି ମଧ୍ୟରୁ ମେଣ୍ଟ ପାଇଁ କିଏ ଅଧିକ ଆଶାୟୀ ଥିଲା ସେନେଇ ଆଲୋଚନା ଦେଖିବାକୁ ମିଳିଛି।

 

Get real time updates directly on you device, subscribe now.