ପୋଷ୍ଟ ଅଫିସ ଜାରି କଲା ଆଡଭାଇଜରୀ: ସଂଶୋଧନ ହେଲା Protean ବ୍ୟବସ୍ଥା, ପ୍ୟାନ କାର୍ଡରେ ଗଡ଼ବଡ଼ି ଥିଲେ ଡାକଘର ଯୋଜନାରେ ନିବେଶ ରୋକାଯିବ

ନୂଆଦିଲ୍ଲୀ: ଆପଣମାନେ ଯଦି ଡାକଘର ଯୋଜନାରେ ନିବେଶ କରିବାକୁ ଇଚ୍ଛୁକ ତେବେ ସେନେଇ ଆସିଛି ଏକ ଜରୁରୀ ଖବର । ଏଣିକି ପୋଷ୍ଟ ଅଫିସରେ ଆପଣଙ୍କର ପ୍ୟାନ୍ କାର୍ଡ ଭେରିଫିକେସନ କରାଯିବ । ସେ କ୍ଷେତ୍ରରେ ଯଦି କୌଣସି ଗଡ଼ବଡ଼ି ଦେଖାଦେବ ତେବେ ଆପଣ ଡାକଘର ଯୋଜନାରେ ନିବେଶ କରିପାରିବେନି । ଆପଣଙ୍କର ପ୍ୟାନର ଭାଲିଡିଟିକୁ ଆୟକର ବିଭାଗ ସହିତ କ୍ରସ ଚେକ୍ କରି ଯାଞ୍ଚ କରାଯିବ । ଆପଣଙ୍କର ପ୍ୟାନ ଆପଣଙ୍କ ଆଧାର ସହ ସଂଯୋଗ ହୋଇଛି କି ନା ତାହା ଦେଖାଯିବ । ଏନେଇ ଗତ ୭ ତାରିଖରେ ପୋଷ୍ଟ ଅଫିସ ପକ୍ଷରୁ ଏକ ଆଡଭାଇଜରି ଜାରି କରାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି ।

ପୋଷ୍ଟ ଅଫିସର ଆଡଭାଇଜରୀରେ କୁହାଯାଇଛି, ପ୍ୟାନ ଭେରିଫିକେସନ ସହ ସମ୍ବନ୍ଧିତ ପ୍ରୋଟିଆନ ସିଷ୍ଟମକୁ ଗତ ୧ ତାରିଖରୁ ସଂଶୋଧିତ କରାଯାଇଛି । ଆୟକର ବିଭାଗ ପକ୍ଷରୁ କ୍ରସ୍ ଚେକ୍ କରିବା ସମୟରେ ଯଦି ଆପଣଙ୍କର ପ୍ୟାନରେ ଥିବା ନାମ ଓ ଜନ୍ମ ତାରିଖ ଠିକରେ ଦେଇ ନଥିବେ ତେବେ ଆପଣମାନେ ଡାକଘର ଯୋଜନାରେ ନିବେଶ କରିପାରିବେ ନାହିଁ । ପ୍ୟାନ ଭେରିଫିକେସନ ସିଷ୍ଟମ ପ୍ରୋଟିଆନ ଇ-ଗଭ ଟେକ୍ନୋଲୋଜିଜ (ପୂର୍ବରୁ ଏନଏସଡିଏଲ) ସିଷ୍ଟମ ସହ ସଂଯୋଗ ହୋଇଛି, ସେଥିରେ ଏବେ ସଂଶୋଧନ କରାଯାଇଛି ।

କ୍ଷୁଦ୍ର ସଞ୍ଚୟ ଯୋଜନାରେ ନିବେଶ ପାଇଁ ଆଧାର ଓ ପ୍ୟାନ ବାଧ୍ୟତାମୂଳକ ହୋଇଥାଏ । ପିପିଏଫ, ଏନଏସସି ଓ ଅନ୍ୟ କ୍ଷୁଦ୍ର ସଞ୍ଚୟ ଯୋଜନାରେ ନିବେଶ ପାଇଁ ପ୍ୟାନ, ଆଧାର ବାଧ୍ୟତାମୂଳକ । ଏହି ଦୁଇ ଡକ୍ୟୁମେଣ୍ଟ ପୁରସ୍ପର ସହ ଲିଙ୍କ ହୋଇଥିବା ଆବଶ୍ୟକ । ଯଦି ଲିଙ୍କ ହୋଇନଥିବ ତେବେ ଆପଣ ଏହି ସ୍କିମରେ ନିବେଶ କରିପାରିବେ ନାହିଁ । ଆପଣମାନେ ଯଦି ବର୍ତ୍ତମାନ ପର୍ଯ୍ୟନ୍ତ ପ୍ୟାନ-ଆଧାର ଲିଙ୍କ କରାଯାଇ ନାହାନ୍ତି ତେବେ ଆପଣଙ୍କର ଅନେକ କ୍ଷତି ହୋଇପାରେ । ଆପଣମାନେ ବୀମା, ମ୍ୟୁଚୁଆଲ୍ଡ ଫଣ୍ଡ ସମେତ ଅନେକ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ପାରନ୍ତି । ଏଥିସହିତ ଟାକ୍ସ ରିଟର୍ଣ୍ଣସ ମଧ୍ୟ ଆପଣଙ୍କ ଆକାଉଣ୍ଟକୁ ପଠାଯିବ ନାହିଁ ।