ଅମରାବତୀ: ଆନ୍ଧ୍ରପ୍ରଦେଶର ବାପାଟଲା ଜିଲ୍ଲାରେ ହାଇଦ୍ରାବାଦ-ବିଜୟୱାଡା ରାଜପଥରେ ବୁଧବାର ସକାଳେ ଏକ ସଡ଼କ ଦୁର୍ଘଟଣାଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି। ବାପାଟଲାରୁ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏକ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସଡ଼କ ଦୁର୍ଘଟଣାରେ ୩୨ ଜଣ ଆହତ ହୋଇ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବସ୍-ଟ୍ରକ୍ ଧକ୍କାରେ ଲାଗିଥିବା ନିଆଁ ଏତେ ଭୟଙ୍କର ଯେ ବସ୍ ଓ ଟ୍ରକ୍ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି।
ସୂଚନା ଅନୁସାରେ, ଏକ ଘରୋଇ ବସ୍ ବାପାଟଲା ଜିଲ୍ଲାର ଚିନ୍ନାନଗଞ୍ଜମରୁ ହାଇଦ୍ରାବାଦ ଯାଉଥିଲା । ହାଇଦ୍ରାବାଦ-ବିଜୟୱାଡ଼ା ରାଜପଥର ଚିଲାକାଲୁରିପେଟ ମଣ୍ଡଳ ନିକଟରେ ବସ୍ ଟି ଏକ ଟ୍ରକ୍ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିଲା । ଆହତମାନେ କହିଛନ୍ତି ଯେ ଦୁର୍ଘଟଣା ସମୟରେ ବସରେ ୪୨ ଜଣ ଥିଲେ । ରାଜପଥରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାରେ ଟ୍ରକ୍ ଓ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ବସରେ ଥିବା ଅନ୍ୟ ୪ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି ।
ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ବିଷୟରେ ମଧ୍ୟ ସୂଚନା ସାମ୍ନାକୁ ଆସିଛି। ମୃତକମାନେ ବାପଟଲା ଜିଲ୍ଲାର ବାସିନ୍ଦା। ମୃତକମାନେ ହେଲେ ବସ୍ ଡ୍ରାଇଭର ଅଞ୍ଜି (୩୫), ଉପାଗୁଣ୍ଡୁର କାଶୀ (୬୫), ଉପାଗୁଣ୍ଡୁର ଲକ୍ଷ୍ମୀ (୫୫) ଓ ମୁପ୍ପାରାଜୁ ଖ୍ୟାତି ଶାସ୍ତ୍ରୀ (୮)। ଅବଶିଷ୍ଟ ଦୁଇ ଜଣଙ୍କର ସୂଚନା ମିଳିପାରିନାହିଁ । ଏହି ଦୁର୍ଘଟଣାରେ ୩୨ ଜଣ ଆହତ ହୋଇଛନ୍ତି। ଚିଲାକାଲୁରିପେଟ ସହରର ସରକାରୀ ଡାକ୍ତରଖାନାରେ ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଏହାପରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଗୁଣ୍ଟୁର ସ୍ଥାନାନ୍ତର କରାଯାଇଥିଲା। ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ମିଳିଛି।