ଜୁନ୍ ପହିଲାରୁ ବଦଳିବ ଡ୍ରାଇଭିଂ ଲାଇସେନ୍ସ ନିୟମ: ଏଣିକି RTO ନଯାଇ ନିକଟତମ କେନ୍ଦ୍ରରେ ଦେଇପାରିବେ ଗାଡ଼ିଚାଳନା ପରୀକ୍ଷା
ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ସମସ୍ୟା ଦୂର ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ନିୟମରେ ଏକ ବଡ଼ ପରିବର୍ତ୍ତନ କରାଯିବ । ଜୁନ ମାସ ପହିଲାରୁ ଏହି ନୂଆ ନିୟମ ଲାଗୁ ହେବ । ଦେଶରେ ଡିଏଲ ପାଇବା ଏକ କଷ୍ଟଦାୟକ ପ୍ରକ୍ରିୟା ହୋଇଥିବା ବେଳେ ଏଥିପାଇଁ ଆବେଦନକାରୀଙ୍କୁ ବିଭିନ୍ନ ଫର୍ମ ପୂୂଣ କରିବାକୁ ପଡ଼ିଥାଏ । ଏଥିସହିତ ଏକାଧିକ କର୍ତ୍ତୃପକ୍ଷଙ୍କ ନିକଟକୁ ଯିବା ସହିତ ଏ କ୍ଷେତ୍ରରେ ଦୁର୍ନୀତି ମଧ୍ୟ ଦେଖିବାକୁ ମିଳିଥାଏ । ତେବେ ନୂଆ ନିୟମରେ ଆବେଦନକାରୀମାନେ ନିଜ ପସନ୍ଦର ନିକଟତମ କେନ୍ଦ୍ରରେ ଗାଡ଼ି ଚାଳନା ପରୀକ୍ଷା ଦେବାର ବିକଳ୍ପ ପାଇପାରିବେ ।
ତେବେ ସଡ଼କ ସୁରକ୍ଷା କ୍ଷେତ୍ରରେ ଦେଖାଦେଉଥିବା ତ୍ରୁଟିକୁ ଦୂର କରିବା ପାଇଁ କେନ୍ଦ୍ର ସରକାର କିଛି ପ୍ରମୁଖ ନିୟମରେ ପରବର୍ତ୍ତନ କରିବାକୁ ଯାଉଛନ୍ତି । ତାହା ଡିଏଲ ପ୍ରକ୍ରିୟାକୁ ଆହୁରି ସରଳ କରିଦେବ । ଆବେଦନକାରୀମାନେ ଏବେ ଆଉ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)କୁ ନଯାଇ ସେମାନଙ୍କ ନିକଟତମ କୌଣସି କେନ୍ଦ୍ରରେ ଗାଡ଼ି ଚାଳନା ପରୀକ୍ଷା ଦେଇପାରିବେ । ଏଥିସହିତ ବୈଧ ଅନୁମତି ପ୍ରମାଣପତ୍ର ବିନା ଗାଡ଼ି ଚଳାଇଲେ କଠୋର ଦଣ୍ଡ ଲାଗୁ କରାଯାଇଛି ।
ଏଣିକି ଯଦି ଜଣେ ନାବାଳକ ଗାଡ଼ି ଚଳାଉଥିବା ଅବସ୍ଥାରେ ଧରାପଡ଼େ, ତେବେ ସେ କ୍ଷେତ୍ରରେ ତାଙ୍କର ପିତାମାତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ୨୫ ହଜାର ଟଙ୍କା ଜରିମାନା ଲାଗୁ କରାଯିବ । ଏଥିସହିତ ନାବାଳକ ଯଦି କୌଣସି ଦୁର୍ଘଟଣା ଘଟାଏ ତେବେ ସେ କ୍ଷେତ୍ରରେ ତାଙ୍କର ପିତାଙ୍କୁ ଜେଲ୍ ମଧ୍ୟ ହୋଇପାରେ । ଏଥିସହିତ ତାଙ୍କର ଗାଡ଼ିର ରେଜିଷ୍ଟ୍ରେସନ ମଧ୍ୟ ବାତିଲ୍ କରାଯିବ । ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବାର ପ୍ରକ୍ରିୟା ପୂର୍ବ ଭଳି ସମାନ ରହିଛି । ଆବେଦନକାରୀମାନେ ଉଭୟ ଅନଲାଇନ ଓ ଅଫଲାଇନରେ ଆବେଦନ କରିପାରିବେ ।