fbpx

ଜୁନ୍ ୪ରେ କ’ଣ ଘଟିବ: ଓଡ଼ିଶାରେ କିଏ ସରକାର ଗଠନ କରିବ, ଜୁନ୍ ୯ରେ ନା ୧୦ରେ ନୂଆ ମୁଖ୍ୟମନ୍ତ୍ରୀ ନେବେ ଶପଥ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁନରେ ହେବାକୁ ଥିବା ଅନ୍ତିମ ପର୍ଯ୍ୟାୟ ମତଦାନ ପରେ ନିର୍ବାଚନର ସମସ୍ତ କୋଳାହଳ ଶାନ୍ତ ହୋଇଯିବ । ଏହାପରେ ଜୁନ୍ ୪ରେ ଫଳାଫଳ ସାମ୍ନାକୁ ଆସିବ । ଜଣେ ବିଜୟ ମୁକୁଟ ପିନ୍ଧିବ ଆଉ ଜଣେ ନିରାଶ ହେବ । ତେବେ ଏଥର ଓଡ଼ିଶାରେ କ’ଣ ହେବ ତା’ ଉପରେ ଏବେ ସଭିଙ୍କ ନଜର । ୨୦୧୯ ନିର୍ବାଚନ ସମୟରେ ବିଜେପି କେନ୍ଦ୍ରୀୟ ନେତାଙ୍କୁ ଓଡ଼ିଶାକୁ ଆଣି ପ୍ରଚାର କରାଇଥିବା ବେଳେ ଚଳିତ ଥର ଆଉ ଦି’ ପାଦ ଆଗକୁ ବଢ଼ିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସଡ଼କ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ପରି ବିଜେପିର ବହୁ ହେଭିୱେଟ୍ ନେତାମାନେ ଏଠାରେ ପ୍ରଚାର କରିଛନ୍ତି । ଅନ୍ୟପକ୍ଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଓ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଶଙ୍ଖର ମଙ୍ଗ ଧରି ପ୍ରଚାର ଜାରି ରଖିଛନ୍ତି ।

ରାଜ୍ୟରେ ବିଜେଡି-ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଥିବା ବେଳ କଂଗ୍ରେସ ଏହି ରେସରେ କିଛିଟା ପଛରେ ପଡ଼ିଯାଇଥିବା ଭଳି ମନେହେଉଛି । ତଥାପି ବରିଷ୍ଠ ନେତା ରାହୁଲ ଗାନ୍ଧୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପରି ବଡ଼ ବଡ଼ ନେତାମାନେ ଏଠାରେ ପ୍ରଚାର କରିଛନ୍ତି । ନିର୍ବାଚନ ନ ସରୁଣୁ ଉଭୟ ବିଜେଡି ଓ ବିଜେପି ସେମାନଙ୍କର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣର ତାରିଖ ଘୋଷଣା କରିସାରିଲେଣି । ଜୁନ୍ ୯ରେ ବିଜେଡି ସରକାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ପୁଣି ଶପଥ ନେବେ ବୋଲି ଶ୍ରୀ ପାଣ୍ଡିଆନ୍ ଦୃଢ଼ୋକ୍ତି ପ୍ରକାଶ କରିଥିବା ବେଳେ ଜୁନ୍ ୧୦ରେ ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଓଡ଼ିଶା ଗସ୍ତ ପୂର୍ବରୁ ମୋଦୀ ଏଏନଆଇକୁ ସାକ୍ଷାତକାର ଦେଇ ଏଭଳି କହିଛନ୍ତି । ଏହା ପୂର୍ବରୁ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ମୋଦୀ ମଧ୍ୟ ସମାନ କଥା କହିଥିଲେ ।

ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ଓ ନେତାମାନେ ଯେତେ ବାହାସ୍ଫୋଟ ମାରିଲେ ହେଁ ଫଳାଫଳ ଘୋଷଣା ପରେ ପ୍ରକୃତ ସତ୍ୟ ପଦାକୁ ଆସିବ । ତେଣୁ ଆଉ ମାତ୍ର ଦିନ କେଇଟାର ଅପେକ୍ଷା । ଏଥର ରାଜ୍ୟ ନିର୍ବାଚନର ଫଳାଫଳ ଉପରେ ସଭିଙ୍କ ନଜର ରହିଛି । ନବୀନ ପଟ୍ଟନାୟକଙ୍କୁ କ୍ରମାଗତ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବା ନେଇ ବିଜେଡି ବ୍ଲୁ ପ୍ରିଣ୍ଟ ସ୍ଥାପନ କରିସାରିଥିବା ବେଳେ ବିଜେଡିକୁ କ୍ଷମତାଚ୍ୟୁତ କରି ଓଡ଼ିଶାରେ ସରକାର ଗଠନ କରିବାକୁ ଲକ୍ଷ୍ୟ ରଖିଛି ବିଜେପି । ଏଥର ଓଡ଼ିଶା ଉପରେ ଭାଜପାର ଫୋକସ୍ ରହିଛି । ସେଥିପାଇଁ ନିଜେ ପ୍ରଧାନମନ୍ତ୍ରୀ ମୋଦୀ ବାରମ୍ବାର ଏଠାକୁ ଗସ୍ତ କରିବା ସହିତ କେନ୍ଦ୍ରୀୟ ନେତାଙ୍କର ସୁଅ ଛୁଟୁଛି । ତେବେ ଓଡ଼ିଶାରେ ନବୀନଙ୍କ ସୁଶାସନ କାମ କରୁଛି କି ମୋଦୀ କମାଲ କରୁଛି ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.