fbpx

ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ: ଅଧ୍ୟାପକଙ୍କୁ ମିଳିବ ୟୁଜିସି ହାରରେ ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଣେ ଅଧ୍ୟାପକଙ୍କୁ ୧୯୮୬ ମସିହା ଠାରୁ ପିଛିଲା ଭାବେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ହାରରେ ଦରମା ମିଳିବ । ଓଡ଼ିଶା ହାଇକୋର୍ଟ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଅନ୍ୟାନ୍ୟ ପ୍ରାପ୍ୟ ମଧ୍ୟ ମିଳିବ ବୋଲି ହାଇକୋର୍ଟ ରାୟ ଶୁଣାଇବା ସହ ଓଡ଼ିଶା ରାଜ୍ୟ ଶିକ୍ଷା ପ୍ରାଧିକରଣଙ୍କ ରାୟକୁ ହାଇକୋର୍ଟ କାଏମ୍ ରଖିଛନ୍ତି । ବିଚାରପତି ବିରଜା ପ୍ରସନ୍ନ ଶତପଥୀ ଏହି ରାୟ ଦେଇଛନ୍ତି । ଏହାଫଳରେ ଦୀର୍ଘବର୍ଷ ଧରି ଆଇନଗତ ଲଢ଼େଇ ପରେ ଦାଶରଥି ସାହୁ ନାମକ ଜଣେ ଅଧ୍ୟାପକଙ୍କୁ ଏବେ ବଡ଼ ଆଶ୍ୱସ୍ତି ମିଳିଛି ।

ସୂଚନା ମୁତାବକ, ସାଶରଥି ୧୯୮୦ରେ କାକଟପୁର ସ୍ଥିତ ମଙ୍ଗଳା ମହାବିଦ୍ୟାଳୟରେ ଇଂରାଜୀ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ସେ ୧୯୯୫ରେ ନୟାଗଡ଼ କଲେଜକୁ ଟ୍ରାନ୍ସଫଳ ହୋଇଥିଲେ । ୧୯୮୯ ମସିହା ନଭେମ୍ବର ୬ ତାରିଖରେ ରାଜ୍ୟ ସରକାର ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟାପକଙ୍କୁ ୟୁଜିସି ହାରରେ ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଯୋଗ୍ୟତା ଥିଲେ ବି ଦାଶରଥିଙ୍କୁ ଏ କ୍ଷେତ୍ରରେ ଉପେକ୍ଷା କରାଯାଇଥିଲା । ତେଣୁ ଏହି ମାମଲାର ବିଚାର କରି ୨୦୦୫ରେ ଓଡ଼ିଶା ରାଜ୍ୟ ଶିକ୍ଷା ପ୍ରାଧିକରଣ ତାଙ୍କୁ ୧୯୮୬ ମସିହା ଜାନୁଅରୀ ପହିଲାରୁ ୟୁଜିସି ହାରରେ ଦରମା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏବେ ହାଇକୋର୍ଟ ଉକ୍ତ ନିର୍ଦ୍ଦେଶକୁ ବଳବତ୍ତର ରଖିବା ଫଳରେ ଦାଶରଥିଙ୍କୁ ଆଶ୍ୱସ୍ତି ମିଳିଛି ।

Get real time updates directly on you device, subscribe now.