fbpx

ଉଚ୍ଚଶିକ୍ଷା ବିଭାଗ ବୈଠକରେ ନିଷ୍ପତ୍ତି: ଏଣିକି SAMS ମାଧ୍ୟମରେ ହେବ ଉଚ୍ଚ ଶିକ୍ଷାନୁଷ୍ଠାନର ରି-ଆଡମିସନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ଉଚ୍ଚ ଶିକ୍ଷାନୁଷ୍ଠାନର ରି-ଆଡମିସନ (ଦ୍ୱିତୀୟ ଓ ଶେଷ ବର୍ଷ) ସାମ୍ସ ମାଧ୍ୟମରେ ହେବ । ଏଥିସହିତ ସମସ୍ତ ସେଲଫ ଫାଇନାନ୍ସ ଆଡମିସନ ମଧ୍ୟ ସାମ୍ସ ପୋର୍ଟାଲରେ ହେବ । ଏନେଇ ଗତମାସରେ ଉଚ୍ଚଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ବୈଠକରେ ଏ ବାବଦରେ ନିଷ୍ପତ୍ତି ନିଆଯାଇଛି । ବିଭାଗ ପକ୍ଷରୁ ଟେକ୍ନୋଲୋଜିକୁ ଅଧିକ ଗୁରୁତ୍ୱ ଦିଆଯିବାସହିତ ଏହାଦ୍ୱାରା ସ୍ୱଚ୍ଛତା ଆସିବ ବୋଲି ଆଶା କରାଯାଉଛି ।

କୌଣସି କଲେଜ ବା ବିଶ୍ୱବିଦ୍ୟାଳୟରେ ନୂଆ ସେଲଫ ଫାଇନାନ୍ସ କୋର୍ସ ଖୋଲାଯିବ ନାହିଁ । ଏପରିକି ଶିକ୍ଷାନୁଷ୍ଠାନରେ ରହିଥିବା ସେଲଫ ଫାଇନାନ୍ସ କୋର୍ସକୁ ମଧ୍ୟ ସ୍ଥାୟୀ କୋର୍ସ କରାଯିବ ନାହିଁ । ନିଯୁକ୍ତି ସମ୍ଭାବନା ରହିଥିବା କୋର୍ସକୁ ଏଥିପାଇଁ ଅନୁମତି ଦିଆଯିବ ଓ ଦକ୍ଷତା ବକାଶ କୋର୍ସକୁ ଅଧିକ ଗୁରୁତ୍ୱ ଦିଆଯିବାକୁ ନିିଷ୍ପତ୍ତି ହୋଇଛି । ସ୍ନାତକ ଓ ସ୍ନାତକୋତ୍ତରରେ ଥିବା ସମସ୍ତ ସେଲଫ ଫାଇନାନ୍ସ କୋର୍ସ, ବି.ଏଡ, ଏମ.ଏଡ୍, ବିବିଏ, ବିସିଏ, ଏଲଏଲବି ନାମଲେଖା ମଧ୍ୟ ସାମ୍ସ ମାଧ୍ୟମରେ କରାଯିବ । ଏଥିସହିତ ରି-ଆଡମିସନ ମଧ୍ୟ ଏହି ସାମ୍ସ ଜରିଆରେ କରାଯିବ ।

ଇ-ଅଫିସ ନଥିବା ୟୁନିଭରସିଟି ତୁରନ୍ତ ଏହାକୁ କାର୍ଯ୍ୟ କରିବାକୁ ଏନଆଇସି ସହ ଯୋଗାଯୋଗ କରିବାକୁ କୁହାଯାଇଛି । ବୈଠକରେ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନେ ସାମିଲ ହୋଇଥିବା ବେଳେ ସେଥିରେ ସିଣ୍ଡିକେଟ୍ ବୈଠକ ବାବଦରେ ଆଲୋଚନା ହୋଇଥିଲା । ସିଣ୍ଡିକେଟ ବୈଠକ କରିବା ପୂର୍ବରୁ ବିଶ୍ୱବିଦ୍ୟାଳୟ କୁଳସଚିବ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କୁ ତାରିଖ ଜଣାଇବେ । ସେହିପରି ଏଣିକି ବିଶ୍ୱବିଦ୍ୟାଳୟର ସାଂସ୍କୃତିକ କାର୍ଯ୍ୟକ୍ରମରେ ଜାତୀୟ କିମ୍ବା ଅନ୍ତର୍ଜାତୀୟ ସ୍ତରର ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରାଯିବ । ନିମନ୍ତ୍ରଣ ପୂର୍ବରୁ ଉଚ୍ଚ ଶିକ୍ଷା ବିଭାଗର ଅନୁମତି ନିହାତି ଆବଶ୍ୟକ । ପ୍ରତି ଏକ ମାସରେ ପିଜି କାଉନସିଲ ଅଧ୍ୟକ୍ଷା ଓ ପରୀକ୍ଷା ନିୟନ୍ତ୍ରକଙ୍କ ବୈଠକ ଅନୁଷ୍ଠିତ ହେବ । ସେହିପରି କୁଳସଚିବ ଓ ସମ୍ପଟ୍ରୋଲର ଅଫ୍ ଫାଇନାନ୍ସଙ୍କ ବୈଠକ ବସିବ ।

Get real time updates directly on you device, subscribe now.