fbpx

(Video) ମଉଳିଗଲା ଶେଷ ଆଶା: ଲୋକସଭା ଆସନ ପୋଛିନେଲା ବିଜେପି, ବିଜେଡିର ଖାଲି ହାତ

ଓଡ଼ିଶା ଭାସ୍କର: ଓଡ଼ିଶା ରାଜନୀତି ଏବେ ସମ୍ପୂର୍ଣ୍ଣ ଓଲଟ-ପାଲଟ ହୋଇଯାଇଛି । ୨୫ ବର୍ଷ ଧରି ଓଡ଼ିଶାର ଶାସନଭାର ସମ୍ଭାଳିଥିବା ବିଜେଡି ଏଥର ଖାଲିହାତରେ ରହିଛି । ୨୧ଟି ଲୋକସଭା ଆସନରେ ବିଜେପି ନିଜର ଆଧିପତ୍ୟ ବିସ୍ତାର କରିଛି । ୨୫ ବର୍ଷର ରେକର୍ଡ ରାଜନୀତିକୁ ଧ୍ୱସ୍ତ କରିବାରେ ସଫଳ ହୋଇଛି ଭାରତୀୟ ଜନତା ପାର୍ଟି । ୨୧ଟି ଆସନରୁ ୨୦ଟି ଆସନରେ ବିଜେପି ବାଜିମାତ୍ କରିଥିବା ବେଳେ କୋରାପୁଟ ଆସନ ଉପରେ କବଜା କରିଛି କଂଗ୍ରେସ । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ବିଜୁ ଜନତା ଦଳ କୌଣସି ଲୋକସଭା ଆସନରେ ବିଜୟ ହାସଲ କରିପାରିନି । ଶେଷ ଆଶା ଭାବରେ ଯାଜପୁର ଲୋକସଭା ଆସନ ରହିଥିବା ବେଳେ ଏହାକୁ ମଧ୍ୟ ବିଜେପି ନିଜ ଅକ୍ତିଆରକୁ ନେଇଛି । ବିଜେଡିର ଶେଷ ଆଶା ଶର୍ମିଷ୍ଠା ସେଠୀ ମଧ୍ୟ ଯାଜପୁରରେ ପରାସ୍ତ ହୋଇଛନ୍ତି ।

୨୫ ବର୍ଷ ଶାସନ କରି ୧ ନମ୍ବର ଆଞ୍ଚଳିକ ଦଳ ପାଲଟିଥିଲା ବିଜୁ ଜନତା ଦଳ । କିନ୍ତୁ ୨୦୨୪ ନିର୍ବାଚନ ଏହିସବୁ ଯଶ ଏବଂ ସମସ୍ତ ସଫଳତାକୁ କେଇଟା ମୁହୂର୍ତ୍ତରେ ଧୂଳିସାତ୍ କରିଦେଇଛି । ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ବିଜେଡି ଓଡ଼ିଶାରେ ବହୁମତ ନେଇ ବିଜୟୀ ହେଉଥିଲା । କିନ୍ତୁ ୨୦୨୪ ନିର୍ବାଚନ ବିଜେଡିକୁ ଏକ ଶକ୍ତ ଝଟକା ଦେଇଛି । ଗାଦି ଛଡ଼ାଇ ନେବା ସହିତ ବିଜେଡିକୁ ଲୋକସଭା ଆସନରେ ମୂଳପୋଛ କରିନେଇଛି ବିଜେପି । ଓଡ଼ିଶାର ମୋଟ ୨୧ଟି ଲୋକସଭା ଆସନରେ ବିଜେଡି ବିଜେପି ମଧ୍ୟ କଡ଼ା ଟକ୍କର ଦେଖିବାକୁ ମିଳିଥିବା ବେଳେ କୋରାପୁଟ ବ୍ୟତୀତ ଅନ୍ୟ ସମସ୍ତ ଆସନରେ ବିଜେପି ଧ୍ୱଜା ଉଡ଼ୁଥିବାର ଦେଖାଯାଇଛି । କୋରାପୁଟରେ ମଧ୍ୟ ବିଜେଡି ନୁହେଁ, କଂଗ୍ରେସ ବାଜିମାତ୍ କରିଛି । ଅର୍ଥାତ୍ ଏଥର ନିର୍ବାଚନରେ ଲୋକସଭା ଆସନରେ ବିଜେଡି ଏକ ଦମ୍ ଖାଲି ହାତ ହୋଇ ରହିଯାଇଛି ।

ବିଜେଡି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଶେଷ ଆଶା ଭାବରେ ରହିଥିଲା ଯାଜପୁର ଲୋକସଭା ଆସନ । ଯେଉଁଠି ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବିଜେଡି ପ୍ରାର୍ଥିନୀ ଶର୍ମିଷ୍ଠା ସେଠୀ ଆଗୁଆ ରହିଥିଲେ । କିନ୍ତୁ ଶେଷ ପର୍ଯ୍ୟାୟରେ ତାଙ୍କୁ ଅତିକ୍ରମ କରି ବିଜୟ ହାସଲ କରିଛନ୍ତି ବିଜେପି ପ୍ରାର୍ଥୀ ରବିନ୍ଦ୍ର ନାରାୟଣ ବେହେରା । ମାତ୍ର ୧୫୮୭ ଭୋଟରେ ଶର୍ମିଷ୍ଠାଙ୍କ ପରାଜୟ ପରେ ବିଜେଡିର ଶେଷ ଆଶା ମଧ୍ୟ ମଉଳିଯାଇଛି । ଶର୍ମିଷ୍ଠା ଯାଜପୁର ଜନତାଙ୍କ ପାଖରୁ ୫,୩୨,୬୫୨ ଭୋଟ ପାଇଥିବା ବେଳେ ରବିନ୍ଦ୍ର ୫,୩୪,୨୩୯ ଖଣ୍ଡ ଭୋଟ ପାଇ ବିଜୟ ହାସଲ କରିଛନ୍ତି । ଏହାସହିତ ବିଜେପି ଓଡ଼ିଶା ଲୋକସଭା ଆସନରେ ୨୦ଟି ସିଟ ଦଖଲ କରିବାରେ ସଫଳ ହୋଇଛି ।

Get real time updates directly on you device, subscribe now.