fbpx

ଜେଲ୍‌ରୁ ଜିତି ସାଂସଦ ହେଲେ ଏହି ବିଚ୍ଛିନ୍ନତାବାଦୀ , ଏବେ କିପରି ଯିବେ ସଂସଦ ଓ କିପରି ନେବେ ଶପଥ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଲାଗି ସମସ୍ତ ୫୪୩ ଆସନର ପରିଣାମ ସାମ୍ନାକୁ ଆସିସାରିଛି । କିନ୍ତୁ ଏହାରି ମଧ୍ୟରୁ ୨ ଗୋଟି ସିଟ୍‌ର ପରିଣାମ ସମସ୍ତଙ୍କୁ ଚକିତ କରିଛି । ଦୁଇ କଟ୍ଟରପନ୍ଥୀ ଜେଲ୍‌ରୁ ହିଁ ନିର୍ଦ୍ଦଳୀୟ ନିର୍ବାଚନ ଲଢି ଜିତି ଯାଇଛନ୍ତି । ଏବେ ପ୍ରଶ୍ନ ଉଠୁଛି କି ଏମାନେ ଶପଥ ନେବେ କିପରି? ଜେଲ୍ ଅଧିକାରୀ ଓ ଆଇନ ବିଶେଷଜ୍ଞଙ୍କ ଅନୁଯାୟୀ ଏହି ୨ ଜଣଙ୍କ ଶପଥ ଗ୍ରହଣ ଲାଗି ଆଇନର ସ୍ୱତନ୍ତ୍ର ରାସ୍ତା ଆପଣାଇବାକୁ ହେବ । ଏହି ସମାରୋହରେ ସେମାନେ କଡା ସୁରକ୍ଷା ମଧ୍ୟରେ ରହିବେ ।
ଆଇନ ବିରୋଧୀ କାର୍ଯ୍ୟକଳାପ ନିରୋଧୀ ଅଧିନିୟମ(UAPA) ଜରିଆରେ ଦିଲ୍ଲୀ ତିହାର ଜେଲ୍‌ରେ ବନ୍ଦ ଇଂଜିନିୟର ଶେଖ ଅବଦୁଲ୍ ରଶିଦ ୨୦୪୧୪୨ ଭୋଟ୍‌ରେ ବାରାମୂଳା ସିଟ୍ ଜିତିଯାଇଛନ୍ତି । ରାଷ୍ଟ୍ରୀୟ ସୁରକ୍ଷା ଅଧିନିୟମ (NSA) ଜରିଆରେ ଆସାମର ଦିବ୍ରୁଗଡ ଜେଲ୍‌ରେ ରହିଥିବା ୱାରିସ୍ ପଞ୍ଜାବ ଦେ’ର ମୁଖ୍ୟ ତଥା ବିଚ୍ଛିନ୍ନତାବାଦୀ ନେତା ଅମୃତପାଲ ସିଂ ପଞ୍ଜାବର ଖଡୁର ସାହିବ ସିଟ୍‌ରୁ ୧୯୭୧୨୦ ଭୋଟ୍ ବ୍ୟବଧାନରେ ଜିତିଛନ୍ତି ।

ଜଣେ ଜେଲ୍ ଅଧିକାରୀ କହିଛନ୍ତି କଡା ସୁରକ୍ଷା ମଧ୍ୟରେ ଦୁଇ ଅଭିଯୁକ୍ତଙ୍କୁ ସଂସଦ ଭବନ ନିଆଯିବ । ସଂସଦ ଅଧିକାରୀ କିମ୍ବା ଅନ୍ୟ ସାଂସଦ ବ୍ୟତିତ ରାସ୍ତାରେ ସେଲ୍ ଫୋନ୍‌ର ବ୍ୟବହାର କିମ୍ବା ଅନ୍ୟ ବ୍ୟକ୍ତିଙ୍କୁ ଏମାନେ ଭେଟିପାରିବେ ନାହିଁ । ଏସିପି ଓ ଇନସ୍ପେକ୍ଟର ର‌୍ୟାଙ୍କ ଅଧିକାରୀ ଏମାନଙ୍କ ଏସକଟ୍ କରିବେ ଓ ସୁରକ୍ଷା ଦାୟିତ୍ୱ ସମ୍ଭାଳିବେ । ତେବେ ଏସକଟ୍ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ କେବଳ ଗେଟ୍ ପର୍ଯ୍ୟନ୍ତ ଆସିବେ । ଏହାପରେ ତାଙ୍କୁ ସଂସଦର ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସଙ୍କ ଦାୟିତ୍ୱରେ ଛଡାଯିବ । ସଂସଦକୁ ଆସିବା ପରେ ସେମାନଙ୍କୁ ଅନ୍ୟ ସାଂସଦଙ୍କ ପରି ସବୁ ଅଧିକାର ମିଳିଯିବ । କିନ୍ତୁ ଶପଥ ଗ୍ରହଣ ସମାରୋହ କିମ୍ବା ସଂସଦ ଅଧିବେଶନକୁ ଆସିବା ଲାଗି ଉଭୟଙ୍କୁ ପ୍ରତିଥର କୋର୍ଟର ଅନୁମତି ନେବାକୁ ହେବ ।

Get real time updates directly on you device, subscribe now.