ରାଜ୍ୟରେ ବନ୍ଦ ହୋଇଗଲା ‘ଆହାର’ କେନ୍ଦ୍ର ଓ ‘ଲକ୍ଷ୍ମୀ’ ବସ୍: ଆସୁଛି ଏପରି ଅନେକ ଅଭିଯୋଗ, ପୁଣି ଚିନ୍ତାରେ ଗରିବ ଜନତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ୨୫ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ରାଜ୍ୟରେ ଶାସନ କରିବା ପରେ ନିକଟରେ ଅପ୍ରତ୍ୟାଶିତ ଭାବେ ପରାଜୟ ବରଣ କରିଥିଲା । ଏବେ ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର ଗଠନ କରିବାକୁ ଯାଉଛି । ତେବେ ରାଜ୍ୟରେ ବିଜେଡି ସରକାର କ୍ଷମତାଚ୍ୟୁତ ହେବା ପରେ କିଛି ଘରୋଇ ହସ୍ପିଟାଲ ରୋଗୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଅଧିନରେ ଚିକିତ୍ସା ନକରି ଫେରାଇ ଦେଉଥିବା ଅଭିଯୋଗ ଆସିଥିଲା । ରାଜ୍ୟରେ ନୂଆ ସରକାର ଆସିବା କାରଣରୁ ଏହି କାର୍ଡ ଏବେ କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ବିଭିନ୍ନ ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା ।

ତେବେ ରାଜ୍ୟରେ ବିଏସକେୱାଇ ବନ୍ଦ ହୋଇ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବ ବୋଲି ଗତକାଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଥିଲେ । ତେବେ ବିଏସକେୱାଇ ଯୋଜନାରେ ରାଜ୍ୟରେ ରୋଗୀ ସେବା ଅବ୍ୟାହତ ରହିଛି ବୋଲି ଆଜି ମୁଖ୍ୟ ଶାସନ ସଚିବ ଏକ ଭିଡିଓ ବାର୍ତ୍ତା ଜରିଆରେ ସ୍ପଷ୍ଟ କରିଥିଲେ । ଏହା ମଧ୍ୟରେ ପୁଣି ଜନସାଧାରଣଙ୍କ ଚିନ୍ତା ବଢ଼ିଯାଇଛି । ରାଜ୍ୟରେ ‘ଲକ୍ଷ୍ମୀ’ ବସ୍ ସେବା ବନ୍ଦ ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଛି । ଗତବର୍ଷ ରାଜ୍ୟର ସମସ୍ତ ଜିଲ୍ଲରେ ୧୩୫୪ଟି ବସ୍ ଚାଲିଥିଲା । ତା’ର ପରିଚାଳନା ଦାୟିତ୍ୱ ମିଶନ ଶକ୍ତି ମା’ମାନଙ୍କୁ ଦିଆଯାଇଥିଲା ।

ସେହିପରି ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ଗରିବ ଲୋକଙ୍କୁ ୫ ଟଙ୍କାରେ ଦିଆଯାଉଥିବା ‘ଆହାର’ ଯୋଜନା ବନ୍ଦ ହୋଇଯାଇଥିବା ନେଇ ଅଭିଯୋଗ ଆସୁଛି । କିଛି ଆହାର କେନ୍ଦ୍ରରେ ତାଲା ଝୁଲୁଥିବା ନେଇ ଅଭିଯୋଗ ଆସୁଛି । ରାଜଧାନୀରେ ମୋଟ ୧୩ଟି ଆହାର କେନ୍ଦ୍ର ରହିଥିବା ବେଳେ ଦୈନିକ ୧୩ ହଜାରରୁ ଅଧିକ ମିଲ୍ ପ୍ରସ୍ତୁତ ହୋଇଥାଏ । ଏହାଦ୍ୱାରା ଦିନମଜୁରିଆ ଓ ନିମ୍ନମଧ୍ୟବିତ୍ତ ଲୋକମାନେ ବେଶ୍ ଉପକୃତ ହେଉଥିଲେ । ତେବେ ଲକ୍ଷ୍ମୀ ବସ୍ ଓ ଆହାର ଯୋଜନା ବନ୍ଦ ବାବଦରେ କିଛି ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିନାହିଁ ।

Get real time updates directly on you device, subscribe now.