fbpx

Modi 3.0 Cabinet: କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାର କେତେ ଜଣ ନେତାଙ୍କୁ ସୁଯୋଗ ମିଳିବ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ସମାପ୍ତ ହୋଇଥିବା ଅଷ୍ଟାଦଶ ଲୋକସଭା ନିର୍ବାଚନରେ ବିଜେପିକୁ ବହୁମତ ମିଳି ନଥିବା ବେଳେ ସେ ଟିଡିପି ଓ ଜେଡିୟୁ ସମର୍ଥନରେ ସରକାର ଗଠନ କରିବାକୁ ଯାଉଛି । ଆସନ୍ତା ୯ ତାରିଖ ସନ୍ଧ୍ୟାରେ ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଚଳିତ ନିର୍ବାଚନରେ ବିଜେପି ଏକାକୀ ୨୪୦ଟି ଆସନ ଜିତିବା ସହିତ ଏନଡିଏର ମୋଟ ପ୍ରାର୍ଥୀ ସଂଖ୍ୟା ୨୯୨ରେ ଅଟକି ଯାଇଛି । ତେବେ ବିଜେପିର ଚଳିତ ନିର୍ବାଚନର ଆସନ ଗତ ଦୁଇଟି ଅବଧିର ଆସନ ସଂଖ୍ୟା ଠାରୁ କମ୍ ରହିଛି । ୨୦୧୪ରେ ବିଜେପି ୨୮୨ଟି ଆସନରେ ବିଜୟୀ ହୋଇଥିବା ବେଳେ ୨୦୧୯ରେ ୩୦୩ଟି ଆସନ ଅକ୍ତିଆର କରିଥିଲା । ଅନ୍ୟପକ୍ଷରେ ବିରୋଧୀ ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ) ମହାମେଣ୍ଟ ୨୩୩ଟି ଆସନ ପାଇ ଏନଡିଏକୁ କଡ଼ା ଚ୍ୟାଲେଞ୍ଜ ଦେଇଛି ।

ତେବେ ସେ ଯାହା ବି ହେଉ କଷ୍ଟେମଷ୍ଟେ ଅନ୍ୟ ଦଳଙ୍କ ସହ ମେଣ୍ଟ କରି ବିଜେପି କେନ୍ଦ୍ରରେ ସରକାର ଗଠନ କରିବ । ଏଥର ଓଡ଼ିଶାରୁ ମୋଟ ୨୦ ଜଣ ବିଜେପି ସାଂସଦ ବିଜୟୀ ହୋଇଥିବାରୁ କେନ୍ଦ୍ର କ୍ୟାବିନେଟରେ ଓଡ଼ିଶା କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇପାରେ । ସେହିପରି ଦଳ ରାଜ୍ୟ ବିଧାନସଭା ନିର୍ବାଚନରେ ୭୮ଟି ଆସନରେ ଜିତି ସରକାର ଗଠନ କରିବାକୁ ଯାଉଛି । ତେଣୁ ସବୁଆଡ଼କୁ ଦୃଷ୍ଟିରେ ରଖି ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ କିଛି ବଡ଼ ନିଷ୍ପତ୍ତି ନେବେ ।

୨୦୨୪ ଲୋକସଭା ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରୁ ଅପରାଜିତା ଷଡ଼ଙ୍ଗୀ, କଟକରୁ ଭର୍ତ୍ତୃହରି ମହତାବ, ଢେଙ୍କାନାଳରୁ ରୁଦ୍ରନାରାୟଣ ପାଣି, ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦୁଝରରୁ ଅନନ୍ତ ନାୟକ, ବାଲେଶ୍ୱରରୁ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଭଦ୍ରକରୁ ଅଭିମନ୍ୟୁ ସେଠୀ, ନବରଙ୍ଗପୁରରୁ ବଳଭଦ୍ର ମାଝୀ, ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀ, ଆସିକାରୁ ଅନୀତା ଶୁଭଦର୍ଶିନୀ, କଳାହାଣ୍ଡିରୁ ମାଳବିକା ଦେବୀ, କନ୍ଧମାଳରୁ ସୁକାନ୍ତ ପାଣିଗ୍ରାହୀ, ପୁରୀରୁ ସମ୍ବିତ ପାତ୍ର, ବଲାଙ୍ଗିରରୁ ସଙ୍ଗୀତା ସିଂଦେଓ, ବରଗଡ଼ରୁ ପ୍ରଦୀପ ପୁରୋହିତ, ସୁନ୍ଦରଗଡ଼ରୁ ଜୁଏଲ୍ ଓରାମ, ଯାଜପୁରରୁ ରବିନାରାୟଣ ବେହେରା, କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ଜଗତସିଂହପୁରରୁ ବିଭୁପ୍ରସାଦ ତରାଇ, ମୟୂରଭଞ୍ଜରୁ ନବଚରଣ ମାଝୀ ବିଜେପି ଟିକେଟରେ ସାଂସଦ ଭାବେ ଜିତିଛନ୍ତି । ତେଣୁ ଏମାନଙ୍କ ମଧ୍ୟରୁ ନିଶ୍ଚିତ ଭାବେ ଜଣଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ ବୋଲି ଚର୍ଚ୍ଚା ହେଉଛି । ସେହିପରି ଗତ ଥର ମୋଦୀଙ୍କ କ୍ୟାବିନେଟରେ ରେଳ ମନ୍ତ୍ରୀ ରହିଥିବା ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଏଥର ସୁଯୋଗ ମିଳିପାରେ । ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ରେସରେ କିଛି ସାଂସଦଙ୍କ ନାମ ଆଗରେ ରହିଛି । ତେଣୁ ସବୁଆଡ଼କୁ ବିଚାର କରି ଦଳ ନିଷ୍ପତ୍ତି ନେବ ବୋଲି କୁହାଯାଉଛି ।

Get real time updates directly on you device, subscribe now.